ବଲାଙ୍ଗିର, ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ, ଲୋକେ ଠିକ୍ ସମୟରେ ନିଜ ନିଜ ନିର୍ଦ୍ଧାରିତ ଭୋଟଦାନ କେନ୍ଦ୍ରକୁ ଯାଇ ନିଜର ବହୁମୁଲ୍ୟ ଭୋଟ ପ୍ରଦାନ କରନ୍ତୁ । ଆମେ ନିଶ୍ଚିତ ଭାବରେ ଆଶା କରିବା ଆମ ଲୋକଙ୍କ ଭୋଟ ବଲାଙ୍ଗିରର ବିକାଶ ଦିଗରେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଅନେକ ନେତା ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇଛନ୍ତି । ୨୦୧୪ ରେ ମଧ୍ୟ ସରକାରୀ ଦଳର ପ୍ରତିଦ୍ବନ୍ଦିମାନେ ପ୍ରତିଶୃତିରେ ଆମ ଲୋକଙ୍କୁ ପୋତି ପକାଇଥିଲେ । ସେଥିପାଇଁ ଏବେ ସମୟ ଆସିଛି ଭୋଟଦାନ ପୂର୍ବରୁ ସଚେତନ ନାଗରିକମାନେ ନିଶ୍ଚିତ ଭାବରେ ୨୦୧୪-୧୯ ନିର୍ବାଚନରେ ସରକାରୀ ଦଳ ତରଫରୁ ଦିଆଯାଇଥିବା ପ୍ରତିଶୃତି ତୁଷୁରା ପାଇଲଟ ଟ୍ରେନଂ ସେଣ୍ଟର ଯୁବକଙ୍କ ରୋଜଗାର କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଜେଭିୟର୍ସ ମେନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟ ର ପ୍ରତିଷ୍ଠା ବଲାଙ୍ଗିରରେ କାହିଁକି ହୋଇପାରିଲା ନାହିଁ ବୋଲି ବିଜେଡି ଦଳର ରାଜନେତାମାନଙ୍କୁ ପ୍ରଶ୍ନ କରିବା ଉଚିତ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତକାଲି ଅପରାହ୍ନରେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଵାଧିନତା ପରବର୍ତ୍ତି ସମୟରେ ବଲାଙ୍ଗିର ଲୋକଙ୍କୁ କେଉଁ ରାଜନେତାମାନେ ଭୁଆଁ ବୁଲାଉଛନ୍ତି ଲୋକେ ଜାଣିବା ଦରକାର । କାରଣ ଦିର୍ଘ ବର୍ଷ ପର୍ଯ୍ୟନ୍ତ ଯେଉଁ ଜନପ୍ରତିନିଧିମାନେ ନିର୍ବାଚିତ ହୋଇ ବିଧାନସଭା, ଲୋକସଭାକୁ ଯାଉଥିଲେ ସେମାନଙ୍କ ଉଦାସିନତା ଓ ଅପାରଗତା ଯୋଗୁଁ ବଲାଙ୍ଗିର ଅନ୍ୟ ଜିଲ୍ଲା ତୁଳନାରେ ବହୁତ ପଛରେ ପଡିଛି । ବିଶେଷ କରି ଯୁବକମାନେ ରୋଜଗାର ଅଭାବରୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି କାରଣ ଏ ଅଂଚଳରେ ଦିର୍ଘ ଦିନ କ୍ଷମତାରେ ଥାଇ ମଧ୍ୟ ଏ ଅଂଚଳକୁ ସେହି ରାଜନେତାମାନେ କୌଣସି ଗୋଟିଏ ବି ଶିଳ୍ପ କି କଳକାରଖାନା ଆମ ଯୁବକମାନଙ୍କ ରୋଜଗାର ପାଇଁ ଆଣିପାରିଲେ ନାହିଁ ଓଲଟା ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ବାରମ୍ବାର ପ୍ରତିଶୃତି ଦେଇ ଆମ ଯୁବକମାନଙ୍କୁ ନିରାଶ କରାଯାଉଛି । ବାରମ୍ବାର ମିଛ କହି ଆମ ସରଳ ଲୋକଙ୍କ ଭୋଟ ହତେଇବାରୁ ବିଜେଡି ରାଜନେତାମାନେ କ୍ଷାନ୍ତ ହୁଅନ୍ତୁ କାରଣ ମିଛ ପ୍ରତିଶୃତି ଓ ମିଛ କଥା ବଲାଙ୍ଗିରର ବିକାଶ କରିବା ପରିବର୍ତ୍ତେ ବଲାଙ୍ଗିରକୁ ବିନାଶ ଆଡକୁ ଗତି କରିବ ବୋଲି ବିଧାୟକ ନରସିଂହ ମିଶ୍ର ଜଣାଇଛନ୍ତି । ଆଗାମୀ ୨୦ ତାରିଖ ଦିନ ବଲାଙ୍ଗିରର ଛାତ୍ର ଯୁବକ କୃଷକ ଶ୍ରମିକ ତାଙ୍କର ବହୁ ମୁଲ୍ୟ ଭୋଟ ବଳରେ ନିଶ୍ଚିତ ଭାବରେ ୨୦୧୪ ପରେ ବଲାଙ୍ଗିରରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ପାଇଁ ବିକାଶ ସପକ୍ଷରେ ମତଦାନ କରିବେ ବୋଲିି ନରସିଂହ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ତା ସହିତ ନିର୍ବାଚନ ମଣ୍ଡଳିର ସମସ୍ତ ଜନସାଧାରଣଙ୍କୁ ଏ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାରେ ସମାପନ ହେବ, ଲୋକେ ବହୁଳ ପରିମାଣରେ ମତଦାନ କରିବେ, ଗଣତନ୍ତ୍ରକୁ ସୁଦୃଢ କରିବେ ଏବଂ ବଲାଙ୍ଗିରକୁ ଆହୁରି ବିକାଶ ଆଡକୁ ଗତି କରାଇବେ ବୋଲି ଜଣାଇଛନ୍ତି ।