
ଚମ୍ପୁଆ, ଚଳିତ ୨୦୨୪ ନିର୍ବାଚନରେ ଚମ୍ପୁଆ ବିଧାନସଭା ଆସନ ପାଇଁ ୧୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। କଂଗ୍ରେସ, ବିଜେଡ଼ି, ବିଜେପି ପ୍ରାର୍ଥୀ ଚମ୍ପୁଆ ଆସନ ହାତେଇବା ପାଇଁ ଦମ୍ ଲଗାଇ ଦେଇଥିବା ବେଳେ କିଙ୍ଗ ମେକରରୁ ଏବେ କିଙ୍ଗ ହେବି କହି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ନେଇ ସାଧାରଣରେ ବିରୋଧାଭାଷ ଦେଖିବାକୁ ମିଳିଛି। ସାରା ନିର୍ବାଚନ ମଣ୍ଡଳୀରେ ସନାତନଙ୍କ ବିପକ୍ଷରେ ବିରୋଧାଭାଷ ପରିଲକ୍ଷିତ ହେଉଥିବା ବେଳେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ସନାତନ ବିଧାୟକ ଥିବା ସମୟରେ ଗରିବ ଲୋକମାନଙ୍କୁ ତାଙ୍କ ଟ୍ରଷ୍ଟ ମାଧ୍ୟମରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଘଟଣାକୁ ନେଇ ସିଲିପୁଞ୍ଜି ଠାରେ ସିଧା ସଳଖ ଲୋକଙ୍କ ଦ୍ଵାରା ବିରୋଧର ଶିକାର ହେବା ଘଟଣା ସହିତ ମିରିଗିଶିଙ୍ଗା ଠାରେ ଜୋତା ମାଳ ପିନ୍ଧେଇବାକୁ ଉଦ୍ୟମ ଘଟଣା ସନାତନଙ୍କ ବିପକ୍ଷରେ ଗୁମୁରୁ ଥିବା ବିରୋଧାଭାଷକୁ ସ୍ପଷ୍ଟ କରିଛି। ଯାହା ରାଜ୍ୟ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି କରିସାରିଛି। ତେବେ ପୂର୍ବରୁ ସନାତନ ନିଜ ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରି ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ। ଯାହା ଫଳରେ ୨୦୧୪ ମସିହାରେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିଲେ। ସେ ବିଧାୟକ ହେବା ପରେ ତାଙ୍କୁ ଭୋଟ ଦେଇଥିବା ସମସ୍ତ ଭୋଟରଙ୍କୁ ବିଭିନ୍ନ ମନ୍ଦିର ଠାରୁ ନେଇ ଗାଁ ଶାଳରେ ନିୟମ କରେଇ ପ୍ରତି ଭୋଟରଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବାକୁ ପ୍ରତିଶୃତି ଦେଇ ଆଙ୍ଗୁଠି ଗଣତି କେଇମାସ ଭତ୍ତା ଦେଇ ଆଉ ଦେଇ ନ ଥିଲେ। ପରେ ଗରିବ ଲୋକଙ୍କୁ ଟ୍ରଷ୍ଟ ପକ୍ଷରୁ ବାସଗୃହ ଯୋଗାଇ ଦେବା ନାମରେ ଅନେକଙ୍କ ଘର ଭାଙ୍ଗି ନୂତନ ଘର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା, କିନ୍ତୁ ସମସ୍ତ ଗୃହର କାର୍ଯ୍ୟ ଫାଉଣ୍ଡେସନରେ ହିଁ ରହି ଯାଇଥିଲା। ପ୍ରତ୍ୟେକ ଗ୍ରାମରେ ଘର ଗୁଡିକ ଅସମ୍ପୂର୍ଣ୍ଣ ଭାବେ ଏ ପର୍ଯ୍ୟନ୍ତ ପଡି ରହିଥିବାବେଳେ ହିତାଧିକାରୀ ମାନେ ସରକାରୀ ଯୋଜନାରୁ ମଧ୍ୟ ବାଦ ପଡ଼ିଥିଲେ। ଯାହାର ପ୍ରତିଫଳନ ସିଲିପୁଞ୍ଜି ଓ ମିରିଗିଶିଙ୍ଗାରେ ଦେଖିବାକୁ ମିଳିଛି। ସେହିପରି ଅଞ୍ଚଳର ରୋଗୀଙ୍କୁ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରେଇବା ନାମରେ ବାହା ବା ନେଉଥିବା ସନାତନ ବିଧାୟକ ହେବା ପରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ କେବେ ଆଡ଼ ଆଖିରେ ଚାହିଁ ନାହାନ୍ତି। ଫଳରେ ବିଭିନ୍ନ ସମସ୍ୟା ଭିତରେ ରହିଥିବା ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଚମ୍ପୁଆ ଉପଖଣ୍ଡ ସମେତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା ଓ ମୟୁରଭଞ୍ଜର ହଜାର ହଜାର ରୋଗୀ ପ୍ରତିଦିନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ବିଧାୟକ ଥିବା ସମୟରେ ତାଙ୍କ ବିଧାୟକ ପାଣ୍ଠି ଖର୍ଚ୍ଚ ନ ହୋଇ ଫେରି ଯାଇଥିବା ପରି ଘଟଣା ଏଯାଏଁ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଗ୍ରାମାଞ୍ଚଳର ରାସ୍ତା ଘାଟ ମରଣ ଯନ୍ତା ପାଲଟି ଥିଲେ ମଧ୍ୟ ମରାମତି ହେବାର ନାମ ଗନ୍ଧ ଧରା ନ ଯିବା ତାଙ୍କ ସମୟର ବିଫଳତାକୁ ପ୍ରତିପାଦିତ କରିବାକୁ ଯଥେଷ୍ଟ ବୋଲି ଚର୍ଚ୍ଚା ହେଉଛି। ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଏକ ଖଣି ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ସ୍ଥାନୀୟ ଯୁବ ପିଢ଼ି ନିଯୁକ୍ତି ସୁଯୋଗ ପାଇବାରୁ ବଞ୍ଚିତ। ଏକଦା ସେ ବିଧାୟକ ଥିବା ସମୟରେ ଚମ୍ପୁଆ ଉପଖଣ୍ଡରେ ହେବାକୁ ଥିବା ଟାଟା କମ୍ପାନୀର ଏକ କାରଖାନା ତାଙ୍କ ଅସହଯୋଗ ଯୋଗୁଁ ଏଠାରେ ହୋଇ ନପାରି ଅନ୍ୟ ଜିଲ୍ଲାକୁ ଚାଲିଯିବା, ବିଭିନ୍ନ ମୌଳିକ ସମସ୍ୟାରେ ଜର୍ଜରିତ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକଟେ କେବେ ନିଜର ସୁବିଧା ଅସୁବିଧା ପାଇଁ ବିଧାୟକ ଥିବା ସମୟରେ ତ ଛାଡ ଏବେ ମଧ୍ୟ ଦେଖା କରିବା କାଠିକର ପାଠ ହେଉଥିବା ବେଳେ କେଉଁ ଭରସାରେ ସାଧାରଣ ଜନତା ତାଙ୍କୁ ଗ୍ରହଣ କରିବେ ? ଏହିପରି ବିଭିନ୍ନ କାରଣକୁ ନେଇ ସନାଙ୍କ ପ୍ରଭାବ ଦୃତ ପ୍ରଭାବିତ ହେଉଥିବା ସ୍ପଷ୍ଟ ହେଉଛି। ଅନ୍ୟ ପଟେ ରାଜ୍ୟର ହାଓ୍ବା ରାଜ୍ୟ ରାଜନୀତିରେ ପ୍ରବାହିତ ହେଉଥିବାରୁ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ସନାତନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିଜେପି ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ମଧ୍ୟ ପୁରା ଦମରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ଏପରି ସ୍ଥିତିରେ ୨୦୨୪ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାର ଏକ ପ୍ରକାର ସ୍ଥିର ହୋଇଥିଲେ ହେଁ ସନାତନଙ୍କ ପାଇଁ ନିର୍ବାଚନ ବୈତରଣୀ ପାର ହେବା ସେତେଟା ସହଜ ହୋଇ ନ ପାରେ ବୋଲି ରାଜନୈତିକ ସମୀକ୍ଷକ ଆଶଙ୍କା କରୁଛନ୍ତି।