ସମ୍ବଲପୁର, ମୁଖ୍ୟମନ୍ତ୍ରୀ ଗତ ଉପ-ନିର୍ବାଚନରେ ବିଜେପୁରର ଦାୟିତ୍ଵ ନେବେ ବୋଲି କହିଥିଲେ । କିନ୍ତୁ, ବିଜେପୁରର ବିକାଶ ଯେଉଁଠି ଥିଲା, ସେଇଠି ଅପରିବର୍ତ୍ତିତ ବା ସ୍ଥିର ରହିଛି । ବିଜେପୁର ଆସନରୁ ଜିତିବା ପରେ ଇସ୍ତଫା ଦେଇ ସେ ବରଗଡ ସମେତ ବିଜେପୁରବାସୀଙ୍କୁ ଧୋକ୍କା ଦେଇଛନ୍ତି । ଏଥର ଲୋକମାନେ ତାଙ୍କୁ ଏବଂ ତାଙ୍କ ଦଳର କଥାକୁ ବିଶ୍ଵାସ କରିବେ ନାହିଁ ବୋଲି ଶୁକ୍ରବାର ବରଗଡ଼ରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭଟଲି, ପଦ୍ମପୁର, ବିଜେପୁର ଓ ଅତାବିରା ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି । ବରଗଡ ସହରରେ ରୋଡ୍ ସୋ’ରେ ସାମିଲ ହୋଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡ ହେଉଛି କୃଷିଭିତ୍ତିକ ଅଞ୍ଚଳ । କିନ୍ତୁ ଏହି ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି ନାହିଁ । କୃଷିଭିତ୍ତିକ ଜିଲ୍ଲା ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀ ୨୦୧୩ରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କେବେ ଦେବେ ? ବିଜେପି ସରକାର ହେଲେ ଧାନର ଏମଏସପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସେହିପରି ନବୀନ ସରକାରରେ ଭଟଲିରେ ଥିବା କଳକାରଖାନା ବନ୍ଦ ହୁଏ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ବରଗଡ଼ରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥାଏ । ନବୀନ ସରକାରରେ ଏଠାରୁ ବାଲି ବାହାରକୁ ଚାଲାଣ ହେଉଛି । ଯିଏ ମାଟି ଓ ମାତୃଭୂମିକୁ ବିକ୍ରି କରି ପକେଟ ଗରମ କରେ, ତାକୁ ବଦଳାଇବା ଦରକାର । ୨୪ ବର୍ଷ ହେଲା ମାଗଣା ବିଜୁଳି କରିପାରିଲେ ନାହିଁ । ଏବେ କହୁଛନ୍ତି ମାଗଣା ବିଜୁଳି ଦେବେ । ଓଡ଼ିଶାରେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଯିବାର ଘୋଷଣା ପରେ ରାଜ୍ୟରେ ମାଗଣା ବିଜୁଳି ପ୍ରଦାନ କରାଯିବା କଥା କହିବା ଲୋକଙ୍କୁ ପ୍ରତାରଣା କରିବା ଛଡା ଆଉ କିଛି ନୁହେଁ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ଫୋକସରେ ମହିଳା, ଯୁବକ, ଗରିବ, କୃଷକ ଆଦି ବର୍ଗ ଅଛନ୍ତି । ମୋଦୀ ଦାରିଦ୍ର୍ୟ ପରିବାରରୁ ଆସିଥିବାରୁ ସେ ଗରିବର ଦୁଃଖ ବୁଝିପାରୁଛନ୍ତି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ମୋଦୀ ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି। ଏଥିନିମନ୍ତେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛନ୍ତି । ଏହା ସତ୍ବେ ବରଗଡର ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ଆସୁନାହିଁ । ଏହି ଅର୍ଥକୁ ବାଟମାରଣା କରୁଥିବା ଲୋକମାନଙ୍କୁ ଝାରପଡ଼ା ଜେଲ ପଠାଯିବ । ଜମିକୁ ଜଳସେଚନ ନହେବାରୁ ମରୁଡ଼ି ହେଉଛି । ଗାଇସିଲେଟରେ ମରୁଡ଼ି ସମସ୍ୟା ଲାଗି ରହିଛି । ସ୍କୁଲରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ବରଗଡ଼ ଜିଲ୍ଲା ହସପିଟାଲରେ ମଧ୍ୟ ଡାକ୍ତର ନାହାନ୍ତି । ଯୁବକମାନେ କାମଧନ୍ଦା ନ ପାଇ ବାହାରକୁ ତାମିଲନାଡ଼ୁ ଯାଉଛନ୍ତି । ସରକାରଙ୍କ ପାଖରେ ହକି ଖେଳାଇବା ପାଇଁ ଟଙ୍କା ଅଛି । ଠିକାଦାରଙ୍କୁ ପୋଷିବା ପାଇଁ ପଇସା ଅଛି । କିନ୍ତୁ ଶିକ୍ଷକଙ୍କୁ ଦରମା ଦେବା ପାଇଁ ପଇସା ନାହିଁ । ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିଶ୍ଵସନୀୟତା ଏଥର ରାଜ୍ୟର ବିଧାନସଭା ଓ ଲୋକସଭା ଭୋଟରେ ପ୍ରତିଫଳିତ ହେବ । ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ । ବିଜୁ ଜନତା ଦଳର ପ୍ରଧାନମନ୍ତ୍ରୀ ଚେହେରା କିଏ, ଏହା ସେମାନେ ସ୍ପଷ୍ଟ କରିବେ କି ? ଏଥର ଓଡ଼ିଶାବାସୀ ୨୧ରୁ ୨୧ ଲୋକସଭା ପାଇଁ ଆଶୀର୍ବାଦ କରିବେ ।
ବିଜେପିର ସଂକଳ୍ପ ପତ୍ର ଉପରେ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ । ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ । ଦାଦନ ଯନ୍ତ୍ରଣାରୁ ମୁକ୍ତି ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଶ୍ରୀ ପ୍ରଧାନ ବରଗଡର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଭଟଲିର ବିଧାୟକ ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ, ପଦ୍ମପୁର ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ, ବିଜେପୁର ପ୍ରାର୍ଥୀ ସନତ ଗଡ଼ତିଆ ଓ ଅତାବିରା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ସମର୍ଥନରେ ପ୍ରଚାର କରିଥିଲେ ।