
ମାଲକାନଗିରି, ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ରର ଚାହିଦା ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ବେଶ ରହିଛି । ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରର ମାଳ ମାଳ କେନ୍ଦୁପତ୍ର ବ୍ୟବସାୟୀଙ୍କ ଭିଡ ଜିଲ୍ଳାରେ ଦେଖିବାକୁ ମିଳିଥାଏ। ଜିଲ୍ଳାର ପଡିଆ, ମାଥିଲି, ମାଲକାନଗିରି, କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ ଏହି ସମୟରେ କେନ୍ଦୁପତ୍ର ତୋଳି ଲୋକେ ବେଶ ଦୁଇ ପଇସା ରୋଜଗାର କରନ୍ତି । କେନ୍ଦୁପତ୍ର ବ୍ୟବସାୟର ଉତ୍ତମ ପରିବେଶ, କମ ଦରରେ ପତ୍ର ଉପଲବ୍ଧି କେନ୍ଦୁପତ୍ର ବ୍ୟବସାୟକୁ ଆହୁରି ସୁଦୃଢ କରିଥିଲେ ମଧ୍ୟ ସରକାରଙ୍କ ନିରୀକ୍ଷଣ ଅଭାବ ସହ କେନ୍ଦୁପତ୍ର ବ୍ୟବସାୟୀଙ୍କ ପ୍ରାର୍ଦୁଭାବ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଇଲାକାରେ କେନ୍ଦୁପତ୍ର ବ୍ୟବସାୟରୁ ସଂଗ୍ରହ ହେବାକୁ ଥିବା ରାଜସ୍ଵ ହରାଉଛନ୍ତି ସରକାର। ମାଲକାନଗିରି ଜିଲ୍ଲା ରେ କେନ୍ଦୁପତ୍ର ବିଭାଗ ତରଫରୁ ଟେଣ୍ଡର ଓ ଗ୍ରାମପଞ୍ଚାୟତ ପକ୍ଷରୁ ଖୋଲା ବଜାର ଦୁଇଟି ପ୍ରକ୍ରିୟାରେ କେନ୍ଦୁପତ୍ର କିଣାଯାଉଥିବା ବେଳେ ଗାଁ ଗାଁରେ ଉଭୟ ସରକାରୀ ଓ ବେସରକାରୀ ଫଡ଼ି ଦେଖିବାକୁ ମିଳୁଛି। କେନ୍ଦୁପତ୍ର ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିବା ବେଳେ ଏହି ଟେଣ୍ଡର ପାଇଥିବା ସଂସ୍ଥା ପକ୍ଷରୁ ବିଭିନ୍ନ ଗ୍ରାମରେ ସରକାରୀ ଫଡ଼ି କରି କେନ୍ଦୁପତ୍ର କ୍ରୟ କରୁଛନ୍ତି। ହେଲେ ବେସରକାରୀ ଫଡ଼ି ଗୁଡିକରେ ସମ୍ପୂର୍ଣ୍ଣ ଖୋଲା ବଜାର ମାଧ୍ୟମରେ କେନ୍ଦୁପତ୍ର କିଣା ଯାଉଛି। ଏହି ଫଡ଼ି ଲଗାଇବା ପାଇଁ କେନ୍ଦୁପତ୍ର କ୍ରେତା ସମ୍ପୃକ୍ତ ପଞ୍ଚାୟତରୁ ପେସା ଆଇନ୍ ଅଧିନରେ ପଞ୍ଚାୟତ ରସିଦ୍ କାଟି କେନ୍ଦୁପତ୍ର କ୍ରୟ କରିବାକୁ ଥିବା ବେଳେ ପ୍ରାୟ ସମସ୍ତ ପଞ୍ଚାୟତରେ ଏହି ନିୟମ ଖିଲାଫ୍ କରି କେନ୍ଦୁପତ୍ର କ୍ରୟ କରାଯାଉଥିବା ଥିବା ଦେଖିବାକୁ ମିଳିଛି। କାଲିମେଳା ବ୍ଲକର ୨୩ ପଞ୍ଚାୟତରେ ଫଡ଼ି ମାଧ୍ୟମରେ କେନ୍ଦୁପତ୍ର କିଣା ଯାଉଥିବା ବେଳେ କେତୋଟି ପଞ୍ଚାୟତରେ ଗୋଟିଏରୁ ଦୁଇଟି ରସିଦ୍ କଟା ଯାଇ ଥିବାବେଳେ କେତୋଟି ପଞ୍ଚାୟତରେ କିଛି ରସିଦ କଟା ଯାଇନଥିବା ଜଣାପଡିଛି । ବିଭିନ୍ନଫଡ଼ିରୁ କେନ୍ଦୁପତ୍ର କିଣାଯାଇ ଥିଲେ ମଧ୍ୟ ତୋଳାଳୀ ଠିକ୍ ଭାବେ ଟଙ୍କା ପାଇ ନଥିବା ବେଳେ ଏ ନେଇ ସରକାରଙ୍କ କୌଣଷି ହସ୍ତକ୍ଷେପ ନଥିବା ଜଣାପଡିଛି।
ଅନ୍ୟପଟେ ସାଧାରଣ ନିର୍ବାଚନରେ ସରକାରୀ ଅଧିକାରୀ ମାନେ ବ୍ୟସ୍ତ ଥିବା ସମୟରେ ଏହାର ସୁଯୋଗ ନେଇ ବ୍ୟବସାୟୀ ମାନେ ବେଧଡ଼କ କେନ୍ଦୁପତ୍ର କିଣିବା ସହ କୌଣଷି ରସିଦ୍ ବିନା କେନ୍ଦୁପତ୍ର ଫଡ଼ିରୁ ଗୋଦାମକୁ ପତ୍ର ସ୍ଥାନାନ୍ତରଣ କରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ପଞ୍ଚାୟତର ରାଜସ୍ୟ ହ୍ରାସ ହେବା ସହ କେନ୍ଦୁପତ୍ର ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ପ୍ରଶାସନ ପକ୍ଷରୁ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ପଞ୍ଚାୟତରେ ଖୋଲା ଯାଇଥିବା ଫଡ଼ି ଗୁଡିକୁ ଯାଞ୍ଚ କରିବା ସହ କେନ୍ଦୁପତ୍ର ସ୍ଥାନାନ୍ତରଣ ବେଳେ କଡା ନଜର ରଖିଲେ ଆଦିବାସୀ ପଞ୍ଚାୟତର ରାଜସ୍ଵ ବୃଦ୍ଧି ହେବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି ।