ବଲାଙ୍ଗିର, ପ୍ରଭୁ ଜଗନ୍ନାଥ ତଥା ଶ୍ରୀମନ୍ଦିର ହେଉଛି ସମଗ୍ର ଓଡ଼ିଆ ଜାତିଙ୍କ ସ୍ଵାଭିମାନର ପ୍ରତୀକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜାଇଥିବା ଲୋକଙ୍କୁ ଏ ଜାତି କେବେ କ୍ଷମା କରିବ ନାହିଁ । ଏଥିପାଇଁ ଚଳିତ ନିର୍ବାଚନରେ ନବୀନ ସରକାରଙ୍କୁ ହଟାଇ ଓଡ଼ିଶାରେ ତଥା କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ବାନ ଜଣାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଢ଼ିପଦର ଠାରେ ଗତକାଲି ବିଜେପିର ପରିବର୍ତ୍ତନ ସମାବେଶରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଶ୍ବଶର୍ମା ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ସହିତ ବିଜେପିକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ।
ପ୍ରାରମ୍ଭରେ ସେ ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମା ପାଟନେଶ୍ଵରିଙ୍କୁ ସ୍ମରଣ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବା ସହିତ ବର୍ଷକ ମଧ୍ୟରେ ୧ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ତଥା ଆସନ୍ତା ୫ ବର୍ଷ ମଧ୍ୟରେ ୩ ଲକ୍ଷରୁ ଅଧିକ ପଦବୀରେ ନିଯୁକ୍ତି ଦିଆଯିବ । ଏଥିସହିତ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଲୋକଙ୍କୁ ଖାଲି ଅଖା ପ୍ୟାକେଟ ଦେଇ ଓଡ଼ିଶା ସରକାର ଭୂତାଇବା ସହିତ ମାଇକ ଧରିବାକୁ ଅକ୍ଷମ ଥିବା ଏଭଳି ଏକ ଅପାରଗ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବାକୁ ଅଯୋଗ୍ୟ ବୋଲି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିଲେ ।
ବରିଷ୍ଠ ବିଜେପି ନେତା ମାଧବ ସାଏ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଡଃ. ମୁକେଶ ମହାଲିଙ୍ଗ, ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ, ଛତିଶଗଡ ରାଜ୍ୟ ଆରଙ୍ଗ କ୍ଷେତ୍ର ବିଧାୟକ ଗୁରୁ କୁଷୱାଲ୍ ସାହେବ୍, କଳାହାଣ୍ଡି ପ୍ରଭାରୀ ଭବେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।