ପଟ୍ଟାମୁଣ୍ଡାଇ ,ଆଜି ସକାଳ ୪.୩୦ ମି ସମୟରେ କନିକା ରେଞ୍ଜ ଅନ୍ତର୍ଗତ କାଳିଭଞ୍ଜଡ଼ିଆ ବିଟ୍ ଷ୍ଟାଫ୍ ଙ୍କ ଦ୍ଵାରା ରାତ୍ର ପେଟ୍ରୋଲିଂ କରୁଥିବାବେଳେ କନିକା ସହକାରୀ ବନ ସଂରକ୍ଷକ ଶ୍ରୀ ମାନସ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଷ୍ଟାଫ୍ ମାନେ ଭିତରକନିକା ଜାତୀୟ ଉଦ୍ୟାନ ପରିସର ଅନ୍ତର୍ଭୁକ୍ତ କାଳିଭଞ୍ଜଡ଼ିଆ ଜଙ୍ଗଲ ମଧ୍ୟରୁ ଚଡଦିଆ ଗ୍ରାମ , ବାଂସଡା ଥାନା , ଭଦ୍ରକ ଜିଲ୍ଲା ର ୩ ଜଣ ଆସାମୀ (୧) ହୃଷୀକେଶ ମାଝୀ , ପି – ଗଜେନ୍ଦ୍ର ମାଝୀ (୨) ଭଜହରି ମାଝୀ, ପି -ଗୋଲେଖ ମାଝୀ (୩) ଅଜୟ ମହାଳିକ, ପି – ଭୀମସେନ ମହାଳିକ ଙ୍କୁ ୭ ବସ୍ତା ବାତେରା ଚେର, ୩ ବସ୍ତା ଗରାଣୀ ଚେର, ଦୁଇଟି କଟୁରୀ, ଏକ ଗୋଟି କୁରାଢ଼ୀ , ଦୁଇଟି ମୋବାଇଲ ଫୋନ୍ ଏବଂ ଏକ ଗ୍ୟାସ ଲାଇଟର ସହ ଜବତ କରାଯାଇଥିଲା। ଉକ୍ତ ଚେରର ଓଜନ ଆନୁମାନିକ ୫ କୁଇଣ୍ଟାଲ୍ ହେବ।
ଶ୍ରୀ ଲକ୍ଷ୍ମୀଧର ବାରିକ ଫରେଷ୍ଟର ତାଳଚୁଆ, ଶ୍ରୀ କଳ୍ପତରୁ ସେଠି ବନରକ୍ଷୀ, ଶ୍ରୀ ଅବକାଶ ପାତ୍ର ବନରକ୍ଷୀ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ। ଆସାମୀ ମାନେ ଲୋଭରେ ପଡ଼ି ଉକ୍ତ ଚେର ଓ କାଠ କୁ ରାସାୟନିକ ସେଣ୍ଟ ଦ୍ଵାରା ରକ୍ତ ଚନ୍ଦନ କହି ବିକ୍ରି ଉଦ୍ଵେଶରେ ଏପରି କରିଛନ୍ତି ବୋଲି ସହକାରୀ ବନ ସଂରକ୍ଷକ ଶ୍ରୀ ମାନସ କୁମାର ଦାସ ଙ୍କ ନିକଟରେ ସ୍ବୀକାର କରିବା ପରେ ରାଜନଗର ଗ୍ରାମ୍ୟ ନ୍ୟାୟାଳୟ କୁ ପଠାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ସ୍ଥିତ ଉପକାରାଗର କୁ ପଠାଯାଇଛି।