
ମାଲକାନଗିରି, ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରି ପୌର ପରିଷଦ ପକ୍ଷରୁ ୧୯ଟି ୱାର୍ଡ ର ଗଳି କନ୍ଦି, ମୁଖ୍ୟ ରାସ୍ତା ସଫେଇ କାର୍ଯ୍ୟକୁ କର୍ତୁପକ୍ଷ ଅଗ୍ରାଧିକାର ଦେଉଥିଲେ। ଏଥିସହ ପାନୀୟ ଜଳର ସମସ୍ୟାକୁ ଦୃଷ୍ଟିରେ ରଖି ଦୈନିକ ଦୁଇ ବେଳା ପ୍ରଚୁର ପରିମାଣରେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । ଏହା ଥିଲା କେବଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ, ନିର୍ବାଚନ ଶେଷ ହେବା ପରେ ମାଲକାନଗିରି ପୌର ପରିଷଦ ଅଂଚଳର ୧୯ଟି ୱାର୍ଡ ରେ ପାନୀୟ ଜଳ ସମସ୍ୟା ଯୋଗୁଁ ସହରବାସୀ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ସତସଙ୍ଗ ବିହାର, ପାତ୍ରଗୁଡା, ସାମ୍ବାୟାଗୁଡା, ମଲ୍ଲିକେଶ୍ଵର କଲୋନୀ, ଆଶିର୍ବାଦ କଲୋନୀରେ ଜନସ୍ଵାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ଯୋଗାଇ ଦିଆଯାଇ ନଥିବାରୁ ୱାର୍ଡ ବାସିନ୍ଦା ଅନେକ ସମସ୍ୟା ଭୋଗୁଛନ୍ତି। ମାଲକାନଗିରିରେ ରୌଦ୍ରତାପ ଆଜି ୩୯ ଡିଗ୍ରୀ ଥିଲା ବେଳେ ପାନୀୟ ଜଳ ଅଭାବରୁ ଅନେକ ପରିବାର ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପ୍ରସ୍ତୁତି, ସ୍ନାନ ଏବଂ ପାନୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ନାଗରିକ ଅଭିଯୋଗ କରିଛନ୍ତି। ଏ ସମ୍ବନ୍ଧରେ ଜନସ୍ଵାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ବିଳମ୍ବରେ ହେଲେ ମଧ୍ୟ ଏହି ସବୁ ଅଂଚଳକୁ ଜଳ ଯୋଗାଇ ଦିଆଯିବ ।