ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ପେଦା କୁର୍ତ୍ତୀ ଗ୍ରାମ ନିକଟସ୍ଥ ଡଙ୍ଗା ଘାଟ ନିକଟରେ ଛତିଶଗଡ଼ ବନ ବିଭାଗ ଓ ପୋଲିସ ବିଭାଗର ପକ୍ଷରୁ ମିଳିତ ଚଢଉ କରାଯାଇ ଆନ୍ତଃରାଜ୍ୟ ବେଆଇନ ଭାବେ କେନ୍ଦୁପତ୍ର ଚାଲାଣକାରୀଙ୍କୁ ଠାବ କରିଥିଲା।
ସୂଚନା ମୁତାବକ, ଗତ କିଛିଦିନ ଧରି ଓଡିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବ୍ୟବସାୟୀ ମାନେ ପେଦା କୁର୍ତ୍ତୀ ନିକଟସ୍ଥ ଡଙ୍ଗା ଘାଟରେ ଗତ କିଛିଦିନ ଧରି କେନ୍ଦୁପତ୍ର ଫଡ଼ି ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଠାରୁ କେନ୍ଦୁପତ୍ର କ୍ରୟ କରି ନଦୀରେ ଡଙ୍ଗା ସାହାଯ୍ୟରେ ଓଡିଶାର କୁର୍ତ୍ତୀ ଗ୍ରାମକୁ ଆଣୁଥିଲେ। ଏନେଇ ସୂଚନା ପାଇ ଗତକାଲି ଠାରୁ ସୁକମା ଜିଲ୍ଲା ସମବାୟ ପରିଚାଳନା ନିର୍ଦ୍ଦେଶକ ଅଶୋକ ପଟେଲଙ୍କ ସମେତ ଏସଡିପିଓ, ସୁକମା ଜିଲ୍ଲା କୋଅପରେଟିଭ୍ ୟୁନିଅନ୍ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ପ୍ରମୁଖ ଜାଗରଗୁଣ୍ଡା, କୋଣ୍ଟା ଓ ଦର୍ନାପାଲ ଜଙ୍ଗଲ ପରିସରର ଅନ୍ତର୍ଗତ ସମସ୍ତ ନଦୀଘାଟ ଏବଂ ଅନ୍ତଃ ରାଜ୍ୟ ମାର୍ଗ ଗୁଡିକୁ କଡାକଡି ଭାବେ ଯାଞ୍ଚ କରିଥିଲେ। ଏହି ସମୟରେ ସୂଚନା ପାଇ ପେଦା କୁର୍ତ୍ତୀ ନଦୀ ଘାଟ ନିକଟସ୍ଥ ଫଡ଼ିରେ ଚଢଉ କରି ପ୍ରାୟ ୨୪ ହଜାର ୫ ଶହ କେନ୍ଦୁପତ୍ର ବିଡ଼ା ଜବତ କରିଥିଲେ। ଏଥିସହ ଜଙ୍ଗଲ ଜାତ ଦ୍ରବ୍ୟକୁ ବେଆଇନ ଭାବେ ଚାଲାଣ କରାଯାଇଥିବାରୁ କୋଣ୍ଟା ଅଞ୍ଚଳର ଅବଦୁଲ କରିମ ଖାନ, କୁର୍ତ୍ତୀ ଗ୍ରାମର କାୱାସୀ ହିରମା ଓ ଶେଖ ସୁହାନାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି। ଜବତ ହୋଇଥିବା କେନ୍ଦୁ ପତ୍ରକୁ ଫରେଷ୍ଟ ଗାର୍ଡ ଧର୍ମେନ୍ଦ୍ର କୁମାର ସିଂ ଏବଂ ସହକାରୀ ଗୋଦାମ ଦାୟିତ୍ଵରେ ଥିବା ସୋନାରାମ ସୋଡିଙ୍କ ନିକଟରେ ରଖାଯାଇଛି। ଛତିଶଗଡ଼ ସୀମାରୁ ଦୈନିକ ଶହ ଶହ କେନ୍ଦୁପତ୍ର ବସ୍ତା ଓଡ଼ିଶାକୁ ଆସୁଥିବା ବେଳେ ଓଡିଶା ସୀମାରେ ଏ ନେଇ କୌଣଷି ରୋକଟୋକ ନଥିବାରୁ ଛତିଶଗଡ଼ ରାଜ୍ୟରୁ କେନ୍ଦୁପତ୍ର ବ୍ୟବସାୟୀ ମାନେ ୩ ଟଙ୍କାରେ କେନ୍ଦୁପତ୍ର ବିଡ଼ା କ୍ରୟ କରି ଓଡିଶା ଗୋଦାମରେ ଷ୍ଟକ କରୁଥିବା ଜଣାପଡ଼ିଛି। ଛତିଶଗଡ଼ର ବନ ବିଭାଗ ଓ ପୋଲିସ ପକ୍ଷରୁ ବେଆଇନ କେନ୍ଦୁପତ୍ର ଚାଲାଣ କାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି କୋକୁଆ ଭୟ ଖେଳିଯାଇଥିବା ଆଲୋଚନା ହେଉଛି। ଏପରି ସ୍ଥିତିରେ ଉଭୟ ରାଜ୍ୟର କେନ୍ଦୁପତ୍ର ତୋଳାଳୀଙ୍କ ପ୍ରକୃତ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ଏଭଳି ବେଆଇନ ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।