ବଲାଙ୍ଗିର,ମେ ୨୦ ତାରିଖ ହେଉଛି ମତଦାନ ସାବ୍ୟସ୍ତ କରିବାର ଦିନ । ସେଥିପାଇଁ ସବୁ ଦଳର ପ୍ରାର୍ଥୀ ନିଜ ନିଜର ରଣକୌଶଳ ତଥା ପତିଆରା ଜାହିର କରିବା ପାଇଁ କିଛି ନା କିଛି କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ବିଜେପି ପ୍ରାର୍ଥୀ ନବୀନ ଜୈନ ସୋମବାର ସଂଧ୍ୟାରେ ସହରର ବିଭିନ୍ନ ସାମାଜିକ ସଙ୍ଗଠନକୁ ନେଇ ଦେଶରେ ଚର୍ଚ୍ଚିତ ଟିଭି ସିରିଏଲ୍ ଉଲଟା ଚଷମାର ହାସ୍ୟ ଅଭିନେତା ଶୈଳେଶ ଲୋଢ଼ାଙ୍କୁ ଡକାଇ ଏକ ସାମ ଶୈଳେଶ ଲୋଢ଼ାକେ ସାଥ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ ସରକାରଙ୍କ ଏଜୁକେସନ୍ ଓ ପାର୍ଲିଆମେଣ୍ଟ ଏଫେଆର୍ଶ ମିନିଷ୍ଟର ବ୍ରିଜ ମୋହନ ଅଗ୍ରୱାଲ, ସାଂସଦ ପ୍ରାର୍ଥୀ ଶ୍ରୀମତି ସଙ୍ଗୀତା ସିଂହଦେଓଙ୍କ ଝିଅ ଯୁବରାଣୀ ଶ୍ରୀମତୀ ନିବୃତ୍ତି ସିଂହଦେଓ ଏବଂ ଜ୍ୱାଇଁ ରାଜସ୍ଥାନ ଉଦେପୂରର ଯୁବରାଜ ଲକ୍ଷରାଜ ସିଂ ଜୀ ମେୱାର ଆସି ଯୋଗ ଦେଇଥିଲେ । ଏହି ଅବସରରେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ପରେ ସମସ୍ତଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଜେପି ପ୍ରାର୍ଥୀ ନବୀନ ଜୈନ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ପରେ ଉପସ୍ଥିତ ଲୋକଙ୍କୁ ଆପଣଙ୍କ ସମର୍ଥନ ଓ ଆଶୀର୍ବାଦ ଫଳରେ ଯେମିତି ପୌର ପରିଷଦର ଅଧ୍ୟକ୍ଷା ପଦ ହାସଲ କରିଥିଲୁ ଆସନ୍ତା ୨୦ ତାରିଖରେ ଆପଣ ମାନଙ୍କ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ ରହିଛି ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବ୍ରିଜ ମୋହନ ଅଗ୍ରୱାଲ ନିଜ ବକ୍ତବ୍ୟରେ ଓଡ଼ିଶାର ଲୋକ କେମିତି ଜଣେ ଅପାରଗ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ କରୁଛନ୍ତି ? ଯିଏ କି ଠିକ ସେ କହି ପାରନ୍ତିନି, ଚାଲି ପାରନ୍ତିନି, କିଏ ଲେଖିକି ଦେଲେ ଯାଇ ପଢ଼ିକି କୁହନ୍ତି ସେଭଳି ଲୋକ କଣ କାମ କରିପାରିବ ଥରେ ବିଚାର କରନ୍ତୁ ବୋଲି କହିବା ସହ ଏଥର ପରିବର୍ତ୍ତନ ନିଶ୍ଚିତ ହେବ, ସେଥିପାଇଁ ଆପଣ ସମସ୍ତଙ୍କୁ ନିଜର ବହୁ ମୂଲ୍ୟ ଭୋଟ୍ ଦେଇ ବିଜେପିର ଉଭୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଆଶୀର୍ବାଦ କରି ବିଜୟୀ କରନ୍ତୁ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ନିଶ୍ଚିତ ହେବ ବୋଲି କହିଥିଲେ । ସେହିପରି ଯୁବରାଣୀ ଶ୍ରୀମତୀ ନିବୃତ୍ତି ସିଂ ଦେଓ ନିଜ ମାତା ତଥା ସାଂସଦ ପ୍ରାର୍ଥୀ ଶ୍ରୀମତି ସଙ୍ଗୀତା ସିଂହଦେଓ ଜିଲ୍ଲା ପାଇଁ କରିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ଆଗକୁ କଣ କଣ ଯୋଜନା କଲେ ଅଞ୍ଚଳର ବିକାଶ ହେବ ସେ ବିଷୟରେ ଆଲୋକପାତ କରି ଉଭୟ ବିଧାୟକ ପ୍ରାର୍ଥୀ ଓ ସାଂସଦଙ୍କ ପାଇଁ ଭୋଟ୍ ଦେବାକୁ କହିଥିଲେ । ରାଜସ୍ଥାନ ମେବାରର ଯୁବରାଜା ଲକ୍ଷରାଜ ସିଂ ଦେଶର ନେତୃତ୍ୱ ନେଉଥିବା ଜସ୍ଵସ୍ଵି ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିସୟରେ କହିବା ସହ ବିଗତ ଦଶ ବର୍ଷ ମଧ୍ୟରେ ହୋଇଥିବା ସଫଳତା ଖାସ କରି ବହୁ ବର୍ଷ ପୂର୍ବରୁ ଥିବା ସ୍ୱପ୍ନ ଯାହାକି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା, ଧାରା ୩୭୦ ଉଚ୍ଛେଦ ଭଳି କାର୍ଯ୍ୟ, ସାରା ବିଶ୍ୱରେ ଦେଶର ସମ୍ମାନ ବଢ଼ାଇଥିବା ବ୍ୟକ୍ତିଙ୍କ ପାଇଁ ଲୋକଙ୍କ ଆଶୀର୍ବାଦ ଚଳିତ ନିର୍ବାଚନରେ ନିଶ୍ଚୟ ମିଳିବ ବୋଲି କହିଥିଲେ । ଶୈଳେଶ ଲୋଢ଼ା କହିଥିଲେ ଯେ, ମୁଁ କୌଣସି ରାଜନୀତିକ ଦଳର ଲୋକ ନୁହେଁ ମୁଁ ଏଠାକୁ ମୋର ପାରିବାରିକ ସମ୍ବନ୍ଧ ନିଭେଇବା ପାଇଁ କଥା ରଖି ଆସିଛି, ଗୋଟିଏ କଥା କହିବି ଯେ’ ଯେଉଁଠି ଦେଶର ଭବିଷ୍ୟତ, ଆଗାମୀ ପିଢ଼ି ପାଇଁ କିଛି ଭଲ କରିବାର ଅଛି ତାହେଲେ ଜଣେ ଭଲ ଲୋକ ହାତରେ ଯଦି ନେତୃତ୍ୱ ଦିଆଯାଏ ତାହେଲେ ଦେଶ ନିଶ୍ଚୟ ବିକଶିତ ହେବ । ଯେମିତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଯୋଗୁଁ ଆଜି ଦେଶର ନାମ ସାରା ବିଶ୍ଵରେ ଚର୍ଚ୍ଚିତ, ଏଭଳି ବ୍ୟକ୍ତିତ୍ଵଙ୍କୁ ମୁଁ ସବୁଥର ମୋର ଭୋଟ୍ ଦେବି । ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉ କି ଋଷ, ୟୁକ୍ରେନ୍ ଯୁଦ୍ଧରେ ଆମ ଦେଶର ଛାତ୍ରଛାତ୍ରୀ ମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ହେଉ କି କୋଭିଡ୍ ସମୟରେ ଅନ୍ୟ ଦେଶକୁ ଭେକ୍ସିନ୍ ଯୋଗାଣ ଭଳି କୀର୍ତ୍ତି ରଚିବା ହେଉ ସେ କରିକି ଦେଖାଇଛନ୍ତି, ଏଣୁ ଏଭଳି ବ୍ୟକ୍ତିତ୍ଵର ଶାସନ ପାଇଁ ଦେଶ ବ୍ୟାପି ତାଙ୍କୁ ପୁଣି ଥରେ ଚୟନ କରିବା ଆମର ଧର୍ମ ବୋଲି କହିଥିଲେ ଏବଂ ସାଂସଦ ପ୍ରାର୍ଥୀ ଶ୍ରୀମତି ସଙ୍ଗୀତା ସିଂହଦେଓ ଏବଂ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ଆଶୀର୍ବାଦ କରି ବିଜୟୀ କରନ୍ତୁ ବୋଲି କହିଥିଲେ । ସଭା ପରିଚାଳନା କରିଥିଲେ କବି ଶ୍ରୀମତି ବବି ଜୈନ ।
Related Stories
November 22, 2024