ମାଲକାନଗିରି, ଆଜି ମାଲକାନଗିରି ଜିଲ୍ଲାରେ ଭୋଟ ଗ୍ରହଣ କରାଯାଉଛି। ମାଲକାନଗିରି ଜିଲ୍ଲାରେ ମୋଟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ମତଦାନ ଲାଗି ଜିଲ୍ଲାରେ ମୋଟ ୫୪୭ ଟି ପୋଲିଙ୍ଗ ବୁଥ୍ କରାଯାଇଛି ଯାହା ମଧ୍ୟରେ ୧୧୪ଟି ମାଓ ପ୍ରବଣ ଅଞ୍ଚଳର ଅତି ସମ୍ବେଦନଶୀଳ ବୁଥ୍ ରହିଛି। ୩୦ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ଭାବେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ଭିନ୍ନକ୍ଷମଙ୍କ ଲାଗି ୨ଟି ବୁଥ୍ ରହିଥିବା ବେଳେ ୧୦ଟି ଯୁବ ବୁଥ୍ ରହିଛି। ମାଲକାନଗିରି ଜିଲ୍ଲାରେ ଭିଷଣ ଖରା ହେଉଥିବା ଯୋଗୁଁ ଭୋଟର ମାନଙ୍କୁ ଯଥା ସମ୍ଭବ ପୂର୍ବାହ୍ନ ସମୟରେ ମତଦାନ କେନ୍ଦ୍ରକୁ ଆସିବା ଲାଗି ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ମାଲକାନଗିରି ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଆଜି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ନିଜ ମତ ସାବ୍ୟସ୍ତ କରିବାକୁ କୁମୁଟିଗୁଡା ସ୍କୁଲରେ ନିର୍ମିତ ହୋଇଥିବା ୬୬ ନମ୍ବର ବୁଥରେ ଲାଇନରେ ଛିଡାହୋଇ ମତଦାନ କରିଥିବା ଦେଖିବାକୁ ମିଳିଛି। କାଲିମେଳା ବ୍ଳକ କଲୋନୀ ସ୍କୁଲରେ ମାଲକାନଗିରି ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢି ଧାଡିରେ ଛିଡା ହୋଇ ଭୋଟ ଦେଇଥିଲେ। ଭୋଟ ଦେବା ପାଇଁ ସକାଳ ୬ଟାରୁ କାଲିମେଳାର କିଛି ମତଦାନ କେନ୍ଦ୍ର ରେ ଭୋଟରଙ୍କ ଭିଡ଼ ଲାଗିଥିଲା। ସକାଳୁ ଜିଲ୍ଳାର କିଛି ସ୍ଥାନରେ ଇଭିମ ତ୍ରୁଟି ଯୋଗୁଁ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି। ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୪୦ ପ୍ରତିଶତ ମତଦାନ ହୋଇଛି। ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସହକାରେ ମତଦାନ ଚାଲିଛି।
Related Stories
November 22, 2024