
ମାଲକାନଗିରି- ଦିନକ ପରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ସାଧାରଣ ର୍ନିବାଚନ ପାଇଁ ମତଦାନ ହେବ। ଇତିମଧ୍ୟରେ ପ୍ରମୁଖ ଦଳର ବହୁ କେନ୍ଦ୍ରୀୟ ଏବଂ ରାଜ୍ୟର ତୁଙ୍ଗ ନେତା ମାଲକାନଗିରି ଆସି ନିର୍ବାଚନ ପ୍ରଚାର କରିଛନ୍ତି। ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁ, ଶାନ୍ତନୁ ଠାକୁର, ବିପ୍ଳବ ଦେବ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କ ସମେତ ବେଜେଡି ଭି.କେ ପାଣ୍ଡିଆନ ଓ ସିନେ ତାରକା ମାଲକାନଗିରି ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି। ତେବେ ନେତାଙ୍କ ନିର୍ବାଚନୀ ପ୍ରଚାରକୁ ଦୃଷ୍ଟିରେ ରଖିଲେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାୟ କର୍ମୀ ସମାବେଶ ଏବଂ ନିର୍ବାଚନୀ ପ୍ରଚାର ସଭା ମାଥିଲି ବ୍ଳକ ସଦରରେ ହିଁ ଅନୁଷ୍ଠିତ ହୋଇଛି। ଯେଉଁଠି କେନ୍ଦ୍ର ଏବଂ ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଛନ୍ତି। ଯାହାକୁ ନେଇ ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ଭୋଟରଙ୍କ ମଧ୍ୟରେ ନିରୁତ୍ସାହତା ଦେଖାଦେଇଛି। ନାମକୁ ମାତ୍ର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବୋଲି ଭୋଟରଙ୍କ ମଧ୍ୟରେ ଆଲୋଚନା ହେଉଛି। ଏନେଇ ଆମେ ଚିତ୍ରକୋଣ୍ଡା ଅଞ୍ଚଳର କିଛି ଭୋଟରଙ୍କ ପ୍ରତିକ୍ରିୟା ନେଇଥିଲୁ । ସେମାନଙ୍କ କହିବା କଥା ଯେ, ପ୍ରାୟ ସବୁ ବଡ଼ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ବାହାରେ ହିଁ ହେଉଛି । ଚିତ୍ରକୋଣ୍ଡା ସମେତ ସ୍ଵାଭିମାନ ଅଞ୍ଚଳରେ ଲକ୍ଷାଧିକ ଭୋଟର ରହିଛନ୍ତି। କିନ୍ତୁ, ଏ ଅଞ୍ଚଳର ଭୋଟରଙ୍କୁ ଗୁରୁତ୍ବ ଦିଆଯାଉ ନାହିଁ । ସୁରକ୍ଷା ଦୃଷ୍ଟି କୋଣରୁ ନା ଅନ୍ୟ କିଛି କାରଣ ପାଇଁ ର୍ନିବାନିର୍ବାଚନୀ ସଭା ନକରି ଚିତ୍ରକୋଣ୍ଡାକୁ ଉପେକ୍ଷା କରାଯାଉଛି ତାହା ଭୋଟରଙ୍କୁ ଦ୍ବନ୍ଦରେ ପକାଇଛି। ଗତକାଲି ଚଳଚ୍ଚିତ୍ର ଅଭିନେତା ବାବୁସାନଙ୍କୁ ବିଜେଡି ଦଳ ଆଣି ଚିତ୍ରକୋଣ୍ଡାରେ ପ୍ରଚାର କରାଯାଇଥିଲା।
ଅନ୍ୟ ପକ୍ଷରେ ନାଁ ସିନା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କିନ୍ତୁ ଏଠାରେ ନା ଅଛି ବିଧାୟକଙ୍କ ବାସଗୃହ ନା କାର୍ଯ୍ୟାଳୟ ଏପରିକି ନିର୍ବାଚନ ମଣ୍ଡଳୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଥରୁଟିଏ ମଧ୍ୟ ଏ ଅଞ୍ଚଳର କେହିବି ବିଧାନସଭାରେ ପ୍ରତିନିଧିତ୍ବ କରିପାରି ନାହାଁନ୍ତି ବୋଲି ଅଭିମାନରେ କହିଛନ୍ତି ସ୍ଵାଭିମାନ ଅଞ୍ଚଳର ଭୋଟର।