ଚମ୍ପୁଆ, ଗତ ଦୁଇଟି ନିର୍ବାଚନରେ ଅମାନତ ହରାଇ ନିଜର ସ୍ଥିତି ହରାଇ ସାରିଥିବା କଂଗ୍ରେସ ଦଳ ଚଳିତ ନିର୍ବାଚନରେ ନିଜର ଅଣ୍ଟା ସଳଖି ଛିଡା ହେବା ସହ କିଛି କରିସ୍ମା କରିବା ଲକ୍ଷ୍ୟରେ ଆଗଉ ଥିବା ସ୍ପଷ୍ଟ ହେଉଛି। ଚଳିତ ନିର୍ବାଚନରେ ଦଳ ଏଠାରେ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପ୍ରାର୍ଥୀ କରି ତାଙ୍କ ନେତୃତ୍ବରେ ପୂର୍ବ ସ୍ଥିତି ଫେରି ପାଇବାକୁ ଯୋରଦାର ପ୍ରୟାସ ଆରମ୍ଭ କରିଦେଇଛି। ଯଶୋବନ୍ତ ମଧ୍ୟ ଦଳର ପୂର୍ବ ସ୍ଥିତି ଫେରାଇ ଆଣି ଦଳକୁ ଏକ ସମ୍ମାନପଦ ସ୍ଥିତିରେ ପହଞ୍ଚେଇବାକୁ ଯୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି।
ସୂଚନା ଯୋଗ୍ୟ କି, ୨୦୦୪ ନିର୍ବାଚନରେ ସଂରକ୍ଷିତରୁ ଅଣ ସଂରକ୍ଷିତ ହୋଇଥିବା ଚମ୍ପୁଆ ଆସନରେ ଏବେର ବିଜେଡ଼ି ପ୍ରାର୍ଥୀ ସନାତନ ମହାକୁଡ଼ କଂଗ୍ରେସର ପ୍ରାର୍ଥୀ ହୋଇ ସ୍ବାଧିନ ପ୍ରାର୍ଥୀ ଜିତୁ ପଟ୍ଟନାୟକଙ୍କ ଠାରୁ ମାତ୍ର ୧୪୫ ଟି ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ତେବେ ଏହା ପରେ ଠାରୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଏଠାରେ ସନାତନ କଂଗ୍ରେସର ହାତ ଛାଡିବା ଯୋଗୁଁ ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଚମ୍ପୁଆରେ କଂଗ୍ରେସର ସ୍ଥିତି ସମ୍ପୂର୍ଣ ଦୋହଲି ଯାଇଥିଲା। ୨୦୧୪ ନିର୍ବାଚନରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇବା ସହ ପଞ୍ଚମ ସ୍ଥାନକୁ ଖସି ଆସିଥିଲା। ଏହି ନିର୍ବାଚନରେ ସନାତନ ସ୍ବାଧିନ ଭାବେ ନିର୍ବାଚନ ଲଢ଼ି ଜୟଯୁକ୍ତ ହେବା ସହ ସେହିଦିନ ଠାରୁ ସନାତନ କଂଗ୍ରେସ ଠାରୁ ଦୂରେଇ ଯାଇଥିଲେ। ୨୦୧୯ ନିର୍ବାଚନରେ ଏଠାରେ ସନାତନଙ୍କ ସମର୍ଥନରେ ମୀନାକ୍ଷୀ ମହାନ୍ତ ବିଜେଡ଼ିରୁ ପ୍ରାର୍ଥୀ ହୋଇ ବାଜିମାତ କରିଥିବା ବେଳେ ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଯଦୁମଣି ବାରିକ ମାତ୍ର ୪୧୨୪ ଭୋଟ ପାଇ ଦଳର ସ୍ଥିତିକୁ ସ୍ପଷ୍ଟ କରିଦେଇଥିଲେ। ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଚମ୍ପୁଆ ଆସନରୁ କଂଗ୍ରେସ ତାର ସ୍ଥିତି ହରାଇ ବାକୁ ବସିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡ଼ି ଛାଡି କଂଗ୍ରେସର ହାତ ଧରିଥିବା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ପାଇଁ କଂଗ୍ରେସ ପୁର୍ନଜନ୍ମ ପାଇବା ପରି ସ୍ପଷ୍ଟ ହେଉଛି। ଏକଦା କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ଯଶୋବନ୍ତଙ୍କ ପିତା ଧନୁର୍ଜୟ ଲାଗୁରୀ ଦୁଇଥର ୧୯୮୫ ଓ ୧୯୯୫ ନିର୍ବାଚନରେ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ଯଶୋବନ୍ତ ବିଗତ ଦିନରେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ି ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ହୋଇ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।୨୦୦୯ରେ ବିଜେଡ଼ିରୁ କେନ୍ଦୁଝର ସାଂସଦ ହେବା ୨୦୧୪ ରେ ନିଜ ଧର୍ମ ପତ୍ନୀ ଶକୁନ୍ତଳା ଲାଗୁରୀଙ୍କୁ ମଧ୍ୟ ସାଂସଦ କରାଇବାରେ ସଫଳ ହୋଇଥିଲେ। ତେବେ ୨୦୧୯ ଠାରୁ ଦଳରୁ କଣଠେସା ହୋଇ ଚଳିତ ନିର୍ବାଚନରେ ସେ ବିଜେଡ଼ି ଛାଡି କଂଗ୍ରେସର ପ୍ରାର୍ଥୀ ହେବା ପରେ ତାଙ୍କ ଦୀର୍ଘ ଦିନର ରାଜନୈତିକ ଅନୁଭବକୁ ନେଇ କଂଗ୍ରେସର ସ୍ଥିତିକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଯଶୋବନ୍ତ ଆଦିବାସୀ ସମ୍ପ୍ରଦାୟକୁ ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ ଦିନକୁ ଦିନ କଂଗ୍ରେସ ଚମ୍ପୁଆରେ ସଂଗଠିତ ହେଉଥିବା ଦେଖିବାକୁ ମିଳୁଛି। କଂଗ୍ରେସ ଟିକଟ ପାଇବା ପୂର୍ବରୁ ଚମ୍ପୁଆ ଠାରେ ଆଦିବାସୀ ସମ୍ପ୍ରଦାୟର ବା ପରବ ନାମରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀଙ୍କୁ ଏକଜୁଟ କରି ଚମ୍ପୁଆ ରାଜନୀତିରେ ଚହଳ ପକାଇଥିବା ଯଶୋବନ୍ତଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ଭରସା ମଧ୍ୟ କରୁଛି। ଏପଟେ ନିର୍ବାଚନ ତାରିଖ ଯେତିକି ପାଖଉଛି ଯୋଶବନ୍ତ ଆଦିବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହୋଇ ବିଜେଡ଼ି ବିଜେପିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ତେବେ ଆଗାମୀ ଦିନରେ ଯଶୋବନ୍ତଙ୍କ ନେତୃତ୍ବରେ ଚମ୍ପୁଆରେ କଂଗ୍ରେସ କିଭଳି ପ୍ରଦର୍ଶନ କରିବ ତାହା ଭୋଟ ଗଣତି ପରେ ସ୍ପଷ୍ଟ ହେବା ରାଜନୈତିକ ମହଲରେ ଆଲୋଚନା ହେଉଥିବା ବେଳେ ଏକଦା ନିଜର ସ୍ଥିତି ହରାଇ ସାରିଥିବା କଂଗ୍ରେସ ଚଳିତ ନିର୍ବାଚନରେ ଯଶୋବନ୍ତଙ୍କ ନେତୃତ୍ବରେ ଅଣ୍ଟା ସଳଖି ଛିଡା ହେବାସହ ବିଜେଡ଼ି ବିଜେପିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇ ସାରିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି।