ଚମ୍ପୁଆ, ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ଥାନା ବାଲିବନ୍ଧ ପଞ୍ଚାୟତର କଟଲପଶି ଛକରେ ଗତକାଲି ସନ୍ଧ୍ୟାରେ ସାମାନ୍ୟ ବଚସାକୁ ନେଇ ଭୁଜାଲି ମାଡ଼ରେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ, କଟଲପଶି ଛକରେ ସେହି ଗ୍ରାମର ଧରଣୀଧର ମହାନ୍ତ ଏକ ଗ୍ୟାରେଜ ଦୋକାନ କରିଛନ୍ତି। ଦୋକାନ ସମ୍ମୁଖରେ କିଛି ଯୁବକ ଛିଡ଼ା ହୋଇଥିଲେ। ତାଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ଧରଣୀଧର ଏହାର ପ୍ରତିବାଦ କରିଥିଲେ। ଏହି ସମୟରେ ଉକ୍ତ ଯୁବକ ମାନେ ଧରଣୀଧରକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହା ଫଳରେ ଧରଣୀଧର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଧରଣୀଧରଙ୍କୁ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଧରଣୀଧରର ପେଟରେ ଭୁଜାଲି ମାଡ଼ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।