-
ନିୟୋଜିତ ହେଉଛନ୍ତି ୧୭ ହଜାର ପୁଲିସ ଫୋର୍ସ
ଭୁବନେଶ୍ବର, ସୋମବାର ଦିନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ହେବାକୁ ଥିବା ବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନିରପେକ୍ଷ ନିର୍ବାଚନ ପାଇଁ ୧୭ ହଜାର ପୁଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୧୦୭ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଛନ୍ତି। ସେହିପରି ୬୬ ପ୍ଲାଟୁନ ଓଡ଼ିଶା ପୁଲିସ ଆର୍ମ ପୁଲିସ ନିୟୋଜିତ ହେବେ। ୬ଶହ ମୋବାଇଲ ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି। ୧୦ରୁ ୧୨ଟି ବୁଥକୁ ଗୋଟିଏ ମୋବାଇଲ ପାର୍ଟି କଭର କରିବ। ରାଜ୍ୟରେ ନିର୍ବାଚନ ନେଇ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ନେଇ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୫୧ଟି ଇଣ୍ଟର ଷ୍ଟେଟ ବୋର୍ଡର ସୀମା ସିଲ କରାଯାଇଛି। ସିସିଟିଭି ଜରିଆରେ ନଜର ରଖା ଯାଇଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ ପୋଷ୍ଟ କରାଯାଇଛି। ଏଣେ ୨୧୦ଟି ଫ୍ଲାଇଂ ସ୍କୁଆଡ଼ ଟିମ ଅଛନ୍ତି। ୧୯୫ଟି ଷ୍ଟାଟିଙ୍ଗ ସର୍ଭିଲାନ୍ସ ଟିମ ଅଛନ୍ତି। ୧୫ଟି ଇଭିଏମ୍ ଷ୍ଟ୍ରଙ୍ଗ ରୁମ ଅଛି। ଷ୍ଟ୍ରଙ୍ଗ ରୁମ ସୁରକ୍ଷାରେ ଏକ ପ୍ଲାଟୁନ୍ ଅର୍ଦ୍ଧ ସାମରିକ ଵାହିନୀ ନିୟୋଜିତ ହେବେ। ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ ଓଡ଼ିଶା ପୁଲିସ ଫୋର୍ସ ନିୟୋଜିତ ହେବେ।
ସେ କହିଛନ୍ତି ଯେ ମାଓବାଦ ପ୍ରଭାବିତ ଅଂଚଳ ମଧ୍ୟ ପୋଲିସର ଫୋକସରେ ରହିଛି । ମା ଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି,ନୂଆପଡାରେ ୫୩୭ ବୁଥ ମାଓବାଦୀ ଇଲାକାରେ ଅଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ କିଭଳି ଶାନ୍ତିର ସହ ନିର୍ବାଚନ ହେବ ସେଥିପାଇଁ ସବୁ ଚେଷ୍ଟା କରାଯାଇଛି। ୫୩୯ଟି ଆଣ୍ଟି ନକ୍ସଲ ଅପରେସନ କରାଯାଇଛି। ଗତ ଦୁଇ ଦିନ ହେଲା ୧୩୮ ଅର୍ଦ୍ଧସାମରିକ ବଳ ଓ ୩୭ଟି ଏସ ଓ ଜି ଅପରେସନ ପାର୍ଟି ଜଙ୍ଗଲରେ ଅପରେସନ ଜାରି ରଖିଛନ୍ତି।