
ମାଲକାନଗିରି-ଆମ୍ବ ପରବ ପୂଜା ଚାଲିଥିଲା, ଘରେ ଥିଲା ଉତ୍ସବର ମାହୋଲ। ଏହି ସମୟରେ ଅଚାନକ଼ ହୋଇଥିଲା ଦାଦା ପୁତୁରାଙ୍କ ମଧ୍ୟରେ ବଚସା, ଆଉ ବଚସା ବେଳେ ଉତକ୍ଷୀପ୍ତ ହୋଇ ପୁତୁରା ତାଳ କଟା କାତିରେ ଦାଦାର ଗଳା କାଟି ହତ୍ୟା କରିଛି। ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ଏମଭି ୭୯ ଥାନା ତେଲରାଇ ପଞ୍ଚାୟତ ଅନ୍ତର୍ଗତ ଇପିଗୁଡା ଗ୍ରାମରେ ।
ସୂଚନା ମୁତାବକ ଆଜି ଭୋର ସକାଳୁ ଏହି ଗ୍ରାମରେ ଆଦିବାସୀ ସମୁଦାୟଙ୍କ ଆମ୍ବ ପରବ ଅବସରରେ ପୂଜା ଚାଲିଥିଲା। ଏହି ସମୟରେ ଗ୍ରାମର ମୁକା ପଡିଆମି(୪୨) ଓ ତାଙ୍କ ପୁତୁରା ରାମା ପଡିଆମିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଵହୁ ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ସହ ଟଣାଓଟରା ହୋଇଥିଲା। ଏହି ସମୟରେ ରାମା ଅଚାନକ ଉତକ୍ଷୀପ୍ତ ହୋଇ ମୂକାର ଗଳାକୁ ଚାପି ଧରି ଘରେ ଥିବା ତାଳ କଟା କାତି ସାହାଯ୍ୟରେ ମୁକାର ଗଳା କାଟି ମୁଣ୍ଡରୁ ଅଲଗା କରିଥିଲା। ଏହି ହତ୍ୟାକାଣ୍ଡ ଏତେ ଜଘନ୍ୟ ଥିଲା ଯେ ମୁକାର ଗଳା କଟିବା ପରେ ଶରୀର ମୁଣ୍ଡ ଠାରୁ ପ୍ରାୟ ୧୨ ରୁ ୧୫ ଫୁଟ ଦୂରରେ ଛିଟିକି ପଡିଥିଲା। ଏଭଳି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇ ଏଣେତେଣେ ଲୁଚି ଯାଇଥିଲା ବେଳେ ହତ୍ୟାକାରି ରାମା ମଧ୍ୟ କିଛି ସମୟ ଚିତ୍କାର କରି ନିଜ ଘରେ ଲୁଚି ରହିଲା। ଏହାପରେ ଗ୍ରାମର ଜଣେ ବ୍ୟକ୍ତି ଏମଭି ୭୯ ପୋଲିସକୁ ଖବର ଦେବାରୁ ତୁରନ୍ତ ଏମଭି ୭୯ ଥାନାର ସବ ଇନ୍ସପେକ୍ଟର ବୁଲୁ ପଟନାୟକ ଏକ ଟିମ ନେଇ ଗ୍ରାମରେ ପହଁଞ୍ଚିବା ସହ ଘରେ ଲୁଚି ରହିଥିବା ରାମାକୁ ଅତି ସତର୍କତାର ସହ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାତିକୁ ଜବତ କରିଥିଲେ । ଏହାପରେ ପୋଲିସ ପକ୍ଷରୁ ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଇ ଘଟଣାର ପ୍ରାଥମିକ ତଦନ୍ତ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।