ବଲାଙ୍ଗିର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଗତ ରାତିରେ ଭୁବନେଶ୍ବରରେ ବିଶାଳ ରୋଡ ସୋ ପରେ ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ ଠାରେ ବିଜେପି ତରଫରୁ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଗସ୍ତରେ ଆସି ସ୍ଥାନୀୟ ପଥରଚେପା ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ। ପ୍ରଥମରେ ବାୟୁ ସେନାର ଏକ ସ୍ଵତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମାବେଶ ସ୍ଥଳରେ ପହଂଚିବା ପରେ ବିଜେପିର ବିଧାୟକ ଓ ସାଂସଦ ପ୍ରାର୍ଥୀ, କର୍ମକର୍ତ୍ତା ଓ ସମବେତ ଜନତା ତାଙ୍କୁ ସ୍ଵାଗତ କରିଥିଲେ। ଶ୍ରୀ ମୋଦୀ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ଓଡ଼ିଆ ଅସ୍ମିତା ଏବେ ସଙ୍କଟରେ ବୋଲି କହିବା ସହ ଓଡିଶାବାସୀ ଓଡ଼ିଆ ଲୋକଙ୍କ କଥା ବୁଝୁ ନ ଥିବା ଜଣେ ବ୍ୟକ୍ତିଙ୍କୁ ଭୋଟ ରେ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି କହିଥିଲେ। ମୋଦୀ ନିଜର ଅଭିଭାଷଣ ରେ ସିଧାସଳଖ ଟାର୍ଗେଟ କରିଥିଲେ ନବୀନଙ୍କୁ। ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀର ୧୦ଟି ଗାଁ ର ନାଁ କହି ପାରିବେ ନି, ଏପରି ମୁଖ୍ୟମନ୍ତ୍ରୀଙ୍କୁ ବାଜା ବଜାଇ ବିଦା କରନ୍ତୁ । ବିଜେଡ଼ିର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଆସନ୍ତା ଜୁନ ୧୦ ରେ ଓଡ଼ିଶାରେ ବିଜେପି ଶପଥ ଗ୍ରହଣ କରିବ ଓ ଜଣେ ଓଡ଼ିଆ ବ୍ଯକ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିଲେ ସମୃଦ୍ଧି ଆସିବ ଓ ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗିର ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପଲଜୀ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡଃ. ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ପ୍ରମୂଖ ଉଦବୋଧନ ଦେଇ ୨୪ ବର୍ଷ ର ଏହି ଅହଂକାରୀ ସରକାର ବଦଳିବା ଦରକାର ବୋଲି କହିଥିଲେ।