କନ୍ଧମାଳ- ସଶସ୍ତ୍ର ମାଓବାଦୀମାନେ ଗତ ୨ ତାରିଖ ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅର୍ନ୍ତଗତ ଲେତିଙ୍ଗିଆ ନିକଟବର୍ତୀ ବୁଡ୍ରୁମାହାରେ ରଂଜନ ଦିଗାଲ ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଘୋସାଡି ଆଣି ନିର୍ମମ ଭାବେ ଗୁଳିକରି ହତ୍ୟା କରିଥିଲେ । ଏଥିସହ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଚାଲିଯାଇଥିଲେ ମାଓବାଦୀ ମାନେ । ସେହି ଘଟଣା ପରଠାରୁ ଲେତିଙ୍ଗିଆ ବୁଡ୍ରିକିଆ ଓ ଆଖପାଖ ଗ୍ରାମର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ମୁହଁ ଖୋଲିବାକୁ ଭୟ କରୁଛନ୍ତି । ଜଙ୍ଗଲ ତ ଯାଉନାହାଁନ୍ତି ସେହି ଦିନ ଠାରୁ । ସଂଜ ନଇଁଲେ ତାଟି କବାଟ ପକାଇ ବନ୍ଦ କରି ରହୁଛନ୍ତି । ଏଣେ ପୋଲିସର କମ୍ବିଂ ଅପରେସନ ମଧ୍ୟ ହେଉନି । ଏହି ଜଙ୍ଗଲରେ ୨୦/୨୫ ମାଓବାଦୀ କ୍ୟାମ୍ପ କରି ରହୁଛନ୍ତି । ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ସେହି ଗାଁରେ ଚାଲିଥିବା ବିଭିନ୍ନ କାମ ମଧ୍ୟ ବନ୍ଦ ରହିଛି ଘଟଣା ପରଠାରୁ । ମୁଲିଆ କି ମିସ୍ତ୍ରୀ କାମକୁ ଆସୁନାହାଁନ୍ତି । ଠିକାଦାର ବି ଯାଉନାହାଁନ୍ତି । ବ୍ଲକ କର୍ମଚାରୀ କି ବିଡିଓଙ୍କ ବି ଦେଖାନାହିଁ । ରଂଜନଙ୍କ ସ୍ତ୍ରୀ ଜଣେ ଅଙ୍ଗନବାଡି କର୍ମୀ । ତଥାପି ତାଙ୍କୁ ସମବେଦନା ଜଣାଇବା ପାଇଁ ଘରକୁ କିମ୍ବା ଗାଁକୁ ସୁପରଭାଇଜର କି ସିଡିପିଓ ଆସିନାହାଁନ୍ତି । ମାଓ ଭୟ ଘାରିଛି ସମସ୍ତଙ୍କୁ । ପୋଲିସ ବିଭିନ୍ନ ଅଂଚଳରେ କମ୍ବିଂ ଅପରେସନକୁ ଯୋରଦାର କରିବାକୁ ଦାବୀ ହେଉଛି । ନହେଲେ ମାଓବାଦୀ ମାନେ ପୁଣି ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଜିଲ୍ଲାରେ ପୂର୍ବଭଳି ଦବଦବା ଜାହିର କରିବେ ।
Related Stories
November 24, 2024
November 24, 2024