
ମାଲକାନଗିରି, ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ତିନିଗୋଟି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନଙ୍କ ବିଜୟ ଲାଗି ଅଙ୍କ କଷା ଚାଲିଛି। ଆଗାମୀ ୧୩ ତାରିଖରେ ମତଦାନ ସାବ୍ୟସ୍ତ ହେବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ବେ ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟ ଦେବା ପାଇଁ ନିଜ ସପକ୍ଷରେ ପ୍ରଚାର କରୁଛନ୍ତି । ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୁଖ ତିନି ଗୋଟି ଦଳ ମଧ୍ୟରେ ଲଢ଼େଇ ହେବାକୁ ଯାଉଥିବା ବେଳେ ସେମାନେ ହେଲେ ବିଜେଡ଼ିରୁ ମାନସ ମାଡକାମୀ, କଂଗ୍ରେସରୁ ମାଲା ମାଢ଼ି ଓ ବିଜେପିରୁ ନରସିଂହ ମାଡକାମି ।
ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ମାନସ ମାଡକାମୀ ୨୦୧୪ ନିର୍ବାଚନରେ ବିଜେଡିରୁ ଟିକେଟ ପାଇ ବିଜୟ ଲାଭ କରିଥିଲେ। ସେତେବେଳେ କଂଗ୍ରେସ ଦଳରୁ ମାଲା ମାଢ଼ି ପ୍ରତିଦ୍ବନ୍ଦିତା କରୁଥିଲା ବେଳେ ମାନସ ମାଡକାମୀଙ୍କୁ ୪୭,୭୩୭ ଖଣ୍ଡ ଭୋଟ ମିଳିଥିଲା। ମାତ୍ର ୩,୩୧୨ ଖଣ୍ଡ ଭୋଟ ବ୍ୟବଧାନରେ ମାନସ ମାଡକାମୀ ବିଜୟ ଲାଭ କରିଥିଲା ବେଳେ ମାଲାଙ୍କୁ ୪୪,୪୨୫ ଖଣ୍ଡ ଭୋଟ ପ୍ରାପ୍ତ ହୋଇଥିଲା । ତେବେ ୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋ ମାନସ ମାଡକାମୀଙ୍କୁ ଟିକେଟ ନଦେଇ ତରବରିଆ ଭାବେ ନିଷ୍ପତ୍ତି ନେଇ ମୁକୁନ୍ଦ ସୋଡିଙ୍କୁ ଟିକେଟ ଦେଇଥିଲେ । ମାତ୍ର ମୁକୁନ୍ଦ ସୋଡି ୪୧,୬୬୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହି ଶୋଚନୀୟ ପରାସ୍ତ ହୋଇଥିଲେ। ଏହି ଆସନଟି ନବୀନ ପଟ୍ଟନାୟକଙ୍କ ହାୱା ସତ୍ବେ ବିଜେଡି ପରାଜୟର ସମ୍ମୁଖୀନ ହୋଇଥିଲା । ଏହାର ଏକମାତ୍ର କାରଣ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ।ଫଳରେ ବିଜେପିରୁ ଆଦିତ୍ୟ ମାଡି ୭୦,୨୬୩ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ। ସେ ୨୫,୫୬୯ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ମାଲା ମାଢିକୁ ପରାସ୍ତ କରିଥିଲେ। ମାଲା ମାଢ଼ି ୪୪,୬୯୪ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ । ବର୍ତ୍ତମାନ ଆଦିତ୍ୟ ମାଢିଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ନୂଆ ଚେହେରା ଭାବେ ନରସିଂହ ମାଡକାମୀଙ୍କୁ ବିଜେପି ଟିକେଟ ଘୋଷଣା କରିଛି। କିନ୍ତୁ ଟିକେଟ ଦେବା ପାଇଁ ବିଜେପି ଭରସା ଦେବା ଫଳରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଶେଷ ମୁହୂର୍ତ୍ତରେ ଦଳ ବଦଳାଇ ବିଜେପିରେ ମିଶିଥିଲେ । ମାତ୍ର ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା। ଯଦି ବିଜେପିରୁ ମୁକୁନ୍ଦ ସୋଡି ଟିକେଟ ପାଇଥାନ୍ତେ, ତେବେ କଡ଼ା ଟକ୍କର ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ବିଜେପିରେ ସାମିଲ ହୋଇଥିବା ମୁକୁନ୍ଦ ସୋଡି ବିଜେପି ପାଇଁ ଅଲୋଡା ହୋଇଥିବା ଚର୍ଚ୍ଚା ହେଉଛି। ମୁକୁନ୍ଦ ସୋଡିଙ୍କ ସମର୍ଥକ ମାନେ କଂଗ୍ରେସକୁ ଭୋଟ ଦେବାର ସମ୍ଭାବନା ରହିଛି। ବିଜେପିରେ ଫାଟ ଯୋଗୁଁ କଂଗ୍ରେସ ଦଳ ଏହାର ଫାଇଦା ଉଠାଇବାର ଯଥେଷ୍ଟ ସମ୍ଭାବନାକୁ ଏଡାଇ ହେବ ନାହିଁ।
ସେହିପରି ବିଜେଡିର ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ଉପରେ ଭରସା କରି ପୁନଶ୍ଚ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ଦେଇଛନ୍ତି। ୨୦୧୯ ରେ ଦଳ ମଧ୍ୟରେ ଅର୍ନ୍ତଦ୍ବନ୍ଦ ଥିବାରୁ ମାନସ ମାଡକାମୀଙ୍କ ଟିକେଟ କଟିଥିଲା। ମୁକୁନ୍ଦ ସୋଡିଙ୍କୁ ବିଜେଡି ଟିକେଟ ଦେଇଥିଲା ବେଳେ ୨୦୧୯ ରେ ସେ ଶୋଚନୀୟ ଭାବେ ପରାସ୍ତ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ ଦଳ ତୃତୀୟ ଥର ଲାଗି ମାଲା ମାଢ଼ିଙ୍କ ଉପରେ ଭରସା ରଖି ଟିକେଟ ଦେଇଛି । ସେହି ପୁରୁଣା ମୁହଁ, ପୁରୁଣା ଚେହେରା। ସେ ପୂର୍ବରୁ କାଲିମେଳା ବ୍ଲକ ଚେୟାରମେନ ଥିଲେ ଓ ତାଙ୍କର ଲୋକପ୍ରିୟତା ରହିଛି। ସେ କେବେ ବି ଦଳ ବଦଳ ନକରି କଂଗ୍ରେସ ଦଳରେ ପଡି ରହିଛନ୍ତି। ମାଲା ମାଢ଼ି ୨୦୧୪ ନିର୍ବାଚନରେ ୪୪,୪୨୫ ଭୋଟ ପାଇଥିଲା ବେଳେ ୨୦୧୯ ନିର୍ବାଚନ ରେ ୪୪,୬୯୪ ଭୋଟ ପାଇ ସ୍ଥିତିକୁ ଅପରିବର୍ତ୍ତିତ ରଖିଛନ୍ତି। ଏଥର ତୃତୀୟ ଥର ଲାଗି ନିର୍ବାଚନ ଲଢ଼ୁଥିବା ଯୋଗୁଁ ସିମ୍ପାଥି ଭୋଟ ପାଇ ବିଜୟ ହେବାର ଆଶା ରଖିଛି କଂଗ୍ରେସ। ଏଥର ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଜେପି ଦୁର୍ଗ ହୋଇଥିବା ବେଳେ ନରସିଂହ ମାଡକାମୀ ଜଣେ ନୂତନ ଚେହେରା। ତାଙ୍କୁ ବହୁତ ଲୋକ ଜାଣି ନାହାଁନ୍ତି। ନିକଟରେ ବିଜେପି ଭୋଟ ହାତେଇବାକୁ ଯାଇ ଆସାମ ମୁଖ୍ୟମନ୍ତ୍ରୀ ଆଣି ନିର୍ବାଚନୀ ସଭା କରିଥିଲେ ମଧ୍ୟ ବେଙ୍ଗଲୀ ଭୋଟ ବିଜେପି ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରାୟ ବେଙ୍ଗଲୀ ଭୋଟ ବିଜେପିକୁ ୭୦ ପ୍ରତିଶତ ଯିବାର ସମ୍ଭାବନା ରହିଥିବା ବେଳେ ବିଜେଡିକୁ ୨୦ ଓ କଂଗ୍ରେସକୁ ୧୦ ପ୍ରତିଶତ ଭୋଟ ଯାଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ପ୍ରାୟ ୬୦ ପ୍ରତିଶତ ଆଦିବାସୀଙ୍କ ଭୋଟ ଏଥର କଂଗ୍ରେସ ଦଳ ହାତେଇବାର ଆଶଙ୍କା ରହିଛି । ଏହାର ଅନ୍ଯ ଏକ କାରଣ ହେଲା ବିଜେଡି ମଧ୍ୟରେ ପୂର୍ବାପେକ୍ଷା ଫାଟ ରହିଛି। ବହୁ ପୁରୁଖା ଓ ପୁରୁଣା ବିଜେଡି କର୍ମୀମାନଙ୍କୁ ଅଣଦେଖା କରାଯାଇଛି। ତେବେ ବିଜେଡିର ଗୋଷ୍ଠୀ ବିଭାଜନ ଯୋଗୁଁ ଏହାର ଫାଇଦା କଂଗ୍ରେସ ଉଠାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ଅନ୍ଯପକ୍ଷରେ ଯଦି ଭି.କେ. ପାଣ୍ଡିଆନଙ୍କ ପ୍ରଚାର ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମାଲକାନଗିରିକୁ ପ୍ରଚାର କରିବା ପାଇଁ ଆସିଥାନ୍ତେ, ତାହେଲେ ବିଜେଡି ଜିତିବା ସମ୍ଭାବନା ଅଧିକ ରହିଥାନ୍ତା । ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାର ପୂର୍ବାନୁମାନ କରାଯାଉଛି । ଏବଂ କଂଗ୍ରେସ ହାୱା ଅଧିକ ରହିଥିବା ବିଭିନ୍ନ ଭୋଟରମାନ ଠାରୁ ସର୍ଭେ ରିପୋର୍ଟରୁ ଜଣାପଡ଼ୁଛି। ତେବେ ଆଗାମୀ ୨୦୨୪ ନିର୍ବାଚନରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ମତଦାତା ମାନେ କାହା ଉପରେ ଭରସା କରି ମଥାରେ ବିଜୟ ତୀଳକ ପିନ୍ଧାଇବେ ଭବିଷ୍ୟତରେ ଜଣାପଡ଼ିବ ।