-
ହେଲାନି କାର୍ଯ୍ୟାଳୟ ଉଦଘାଟନ
ବଲାଣି,ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରେ ଫାଟ ଯୋଗୁଁ ଦଳ ଫାଳଫାଳ ହେବା ସହିତ ଦଳୀୟ ସଙ୍ଘର୍ଷ ହାଟ ରେ ପଡି ଦାଣ୍ଡରେ ଗଡୁଛି । ନେତା, ଉପରକୁ ଦଳକୁ ଚିକ୍କଣ ଦେଖାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଦଳୀୟ କନ୍ଦଳ ସ୍ପଷ୍ଟ ବାରି ହୋଇ ପଡୁଛି । ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ହୋଇ ପଡିଛି ଯେ ନେତା ସମ୍ମୁଖରେ କର୍ମୀ ଠେଲାପେଲା କରିବାକୁ ମଧ୍ୟ ପଛାଉନାହାନ୍ତି । ତେବେ ଏପରି କିଛି ଘଟଣା ବାଲାଗୋଡ଼ା ପଂଚାୟତରେ ବୁଧବାର ଦଳୀୟ ପ୍ରଚାର ଶୋଭାଯାତ୍ରା ସମୟରେ ପରିଲିକ୍ଷିତ ହୋଇଥିଲା । ବୁଧବାର ଏକ ସୁସଜ୍ଜିତ ଗାଡ଼ିରେ ଚମ୍ପୁଆ ବିଧାନସଭା ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, କେନ୍ଦୁଝର ଲୋକସଭା ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରିଥିବା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଏବଂ ନୂତନ ଭାବେ ଜିଲା ସଭାପତି ଭାବରେ ପଦଭାର ଗ୍ରହଣ କରିଥିବା କୁଶ ଆପଟ ବାଲାଗୋଡ଼ା ଗ୍ରାମପଞ୍ଚାୟତ ରେ ପହଞ୍ଚି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ସନାତନ ଗୋଷ୍ଠୀ ଓ କୁଶ ଆପଟ ଗୋଷ୍ଠୀ ମଧ୍ୟରେ ଶକ୍ତି ପ୍ରଦର୍ଶନ କରିବାର ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ବଲାଣି ବଜାରରେ ଦୁଇ ଗୋଷ୍ଠୀ ମାତ୍ର ୫୦ ମିଟର ଦୁରତାରେ ଦଳୀୟ କାର୍ଯ୍ୟାଳୟ ଖୋଲି ନିଜ ନିଜ ସମର୍ଥକଙ୍କ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ଦେଖିବାକୁ ମିଳିଥିଲା । ତେବେ ଆଭ୍ୟନ୍ତରୀଣ କନ୍ଦଳ ସ୍ଥିତିକୁ ଦେଖି କୌଣସି ନେତା ନା ଦଳୀୟ କାର୍ଯ୍ୟାଳୟ କୁ ଯାଇଥିଲେ ନା ଏହାର ଉଦଘାଟନ କରିଥିଲେ । କର୍ମୀ ଉତ୍ସାହର ସହିତ ଉଭୟ କାର୍ଯ୍ୟାଳୟରେ ଅପେକ୍ଷା କରିଥିଲେ ସୁଦ୍ଧା ନେତା ନଆସିବାରୁ ନିରାଶ ହୋଇ ଫେରିଥିଲେ । ଦୁଇ ଗୋଷ୍ଠୀ ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ କରି ଶକ୍ତି ପ୍ରଦର୍ଶନ କରିବାର ଏକ ପ୍ରକାର ପ୍ରତିଦ୍ୱନ୍ଦିତା କରୁଥିବା ନେଇ ସ୍ଥାନୀୟ ଲୋକଙ୍କୁ ଚର୍ଚ୍ଚା ଖୋରାକ ଯୋଗାଇଛି । ସ୍ଥିତି ଏପରି ହୋଇଥିଲା ଯେ ନେତା କୌଣସି ଦଳୀୟ କାର୍ଯ୍ୟାଳୟକୁ ମଧ୍ୟ ପ୍ରବେଶ କରିନଥିଲେ କି ଦଳୀୟ କର୍ମୀଙ୍କ ସହ ଆଲୋଚନା ମଧ୍ୟ କରିନଥିଲେ । ଅନ୍ୟ ପକ୍ଷରେ କୁଶ ଗୋଷ୍ଠୀଙ୍କ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟାରେ ମହିଳା ସନାତନ ମହାକୁଡ଼ ସମେତ ଅନ୍ୟ ନେତୃବୃନ୍ଦଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରିବାକୁ ଚାହୁଁ ଥିବା ବେଳେ ସନା ଗୋଷ୍ଠୀ ଏହାକୁ ବିରୋଧ କରିବାରୁ କୁଶ ଗୋଷ୍ଠୀର ବିଜେଡି କର୍ମୀ ସନା ଗୋଷ୍ଠୀର ଜଣେ କର୍ମୀଙ୍କୁ ନେତାଙ୍କ ସମ୍ମୁଖରେ ଧକ୍କା ଦେଇଥିଲେ । ଏହାକୁ ଦେଖି ସନାତନ ମହାକୁଡ଼ ଗାଡିରୁ ଓହ୍ଲାଇ ଦୁଇ ଗୋଷ୍ଠୀଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିବା ପରିଲିକ୍ଷିତ ହୋଇଥିଲା । ଏହା ବ୍ୟତୀତ କାର୍ଯ୍ୟକ୍ରମ ଅନୁସାରେ ଏହି ନିର୍ବାଚନୀ ଶୋଭାଯାତ୍ରା ବଲାଣି ଟାଉନସିପ୍ ର ବିଭିନ୍ନ ସ୍ଥାନ ଦେଇ ଯିବାର ଥିଲା । ଯେଉଁଠାରେ ଭୋଟର ଦଳୀୟ ନେତା ଓ ପ୍ରାର୍ଥୀଙ୍କୁ ଅଭ୍ୟର୍ଥନା ଜ୍ଞାପନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏ ନେଇ କୁଶ ଗୋଷ୍ଠୀଙ୍କ ଅନ୍ୟ ଏକ ଭିଡ଼ ବିଷ୍ଣୁ ମନ୍ଦିର ନିକଟରେ ଅପେକ୍ଷା କରିଥିଲେ । ତେବେ ସନାତନ ମହାକୁଡ଼ଙ୍କ ଏହି ନିର୍ବାଚନୀ ଶୋଭାଯାତ୍ରା ଅଧାବାଟ ଯାଇ ଅନ୍ୟ ରାସ୍ତା ଦେଇ ଚାଲିଯାଇଥିଲେ । ଅପେକ୍ଷାରତ ଶତାଧିକ ମହିଳା ଓ ପୁରୁଷ ମନ୍ଦିର ନିକଟରେ ଅପେକ୍ଷା କରିଥିଲେ ସୁଦ୍ଧା ସନାତନଙ୍କ ଶୋଭାଯାତ୍ରା ଅଧବାଟରୁ ଅନ୍ୟ ରାସ୍ତା ଦେଇ ଫେରିଯାଇଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହା ବ୍ୟତୀତ ଦଳର ସ୍ଥାନୀୟ ଅଞ୍ଚଳରେ ଥିବା ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କ ଗୋଷ୍ଠୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସୁଦ୍ଧା ଶୋଭାଯାତ୍ରାଠାରୁ ଦୂରେଇ ହୋଇ ରହିଥିବାର ଦେଖାଯାଇଥିଲା । ତେବେ ନିର୍ବାଚନୀ ଏହି ଶୋଭାଯାତ୍ରା ବିଜେଡିର ଆଭ୍ୟନ୍ତରିଣ କନ୍ଦଳକୁ ପଦାରେ ପକାଇଥିବା ବେଳେ ଆଗାମୀ ନିର୍ବାଚନରେ ଏହା ପ୍ରତିକୂଳ ପ୍ରଭାବ ପକାଇବା ସହିତ ମୁଖ୍ୟ ପ୍ରତିଦ୍ୱନ୍ଦୀ ଦଳ ବିଜେପି ନିମନ୍ତେ ଏହା ଅନୁକୂଳ ପ୍ରଭାବ ପକାଇବାର ସମ୍ଭାବନା ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀ ଏବଂ ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।