
-
ବିଜେଡିକୁ ଲୋକ ଭାଙ୍ଗିଦେବେ, ଏବେଠୁ ଡର ପଶିଲାଣି
ଭୁବନେଶ୍ୱର,ସମ୍ବଲପୁର ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଲୋକସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ଲୋକଙ୍କୁ ମୋର ମୌଳିକ ପ୍ରଶ୍ନ ଯେ ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ତାହା କୁହନ୍ତୁ।
ସେ କହିଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି । ଏକ ତରଫା ଭାବେ ଏଥର ୨୧ରୁ ୨୧ଟି ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବା ସହ ଭୋଟ ଖରାପ କରିବେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗତ ୧୦ ବର୍ଷରେ ଓଡିଶାକୁ ଅନେକ ଅନୁଦାନ ଆସିବା ସହ ବଡ ବଡ ପ୍ରକଳ୍ପ ହୋଇଛି । ଫଳରେ ପ୍ରଧାନମନ୍ତ୍ରୀଙ୍କ ଭରସା ବଢିଛି | ଓଡିଶା ବିଧାନସଭାରେ ଅନେକ ପ୍ରଶ୍ନ ଉଠୁଛି । ହେଲେ ବିଜେଡି ମୂଳ ପ୍ରଶ୍ନର ଉତ୍ତର ରଖୁନି । ଲୋକେ କାହିଁକି ଦାଦନ ଖଟିବାକୁ ଯାଉନ୍ତି, ଡାକ୍ତର ନାହାନ୍ତି, ହିଂଜିଳିରେ ଶୀତଳ ଭଣ୍ଡାର ନାହିଁ । ୨୪ ବର୍ଷରେ ଯେଉଁ ପ୍ରତାରଣା କଲେ ସେମାନେ ମିଛ କହିଲେ ନାଁ ଯିଏ ୧୦ ବର୍ଷ ବିକାଶ କଲା ସେ ମିଛ କହିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଜନ୍ମରୁ ସୁନା ଚାମଚ ମୁହଁରେ ଧରି ଜନ୍ମ ନେଇଥାନ୍ତି ସେମାନେ ଗରିବର ଦୁଃଖ ବୁଝନ୍ତିନି । ନରେନ୍ଦ୍ର ମୋଦିଙ୍କ ମାଁ ପରଘରେ ବାସନ ମାଜୁଥିଲେ । ନରେନ୍ଦ୍ର ମୋଦି ଚା ବିକୁଥିଲେ | ଫଳରେ ମୋଦିଙ୍କ ନେତୃତ୍ବରେ ଓଡିଶା ବିକାଶ କରିବେ ।
ସେ କହିଛନ୍ତି ଯେ ବିଜେଡିକୁ ଡର ପଶିଗଲାଣି । ବିଜେଡିକୁ ଓଡିଆ ଲୋକ ଭାଙ୍ଗି ଦେବେ । ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେନି । ଲୋକଙ୍କୁ ଠକିଲେ ଲୋକେ ଭାଙ୍ଗି ଦିଅନ୍ତି । ଏଥରେ ଲୋକେ ବିଜେଡିକୁ ହରାଇ ଭାଙ୍ଗି ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ କହିଛନ୍ତି ଯେ, ସମ୍ବଲପୁର ଯାହା ନିର୍ଣ୍ଣୟ କରିବ ସାରା ଦେଶ ଦୋହରାଇବ । ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି ବୋଲି ସେ କହିଛନ୍ତି ।