ବୌଦ୍ଧ, ବୌଦ୍ଧ ଜିଲା ପୋଲିସ ନିକଟରେ କେକେବିଏନ୍ ମାଓ ଡିଭିଜନର ବରିଷ୍ଠ କ୍ୟାଡର୍ ର ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଏବଂ ୭ ମାଓ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ହେଲେ ଯୋଗୀ ମାଡଭିଅ ଜ୍ୟୋତି (ବୟସ -୨୦ ), ପୋଜେ ମାଡଭି (ବୟସ -୨୨ ) । ବୁଧବାର ଦିନ ପୋଲିସ୍ ସାଉଥ୍ ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ଜୟ ନାରାୟଣ ପଙ୍କଜ ଓ ଏସପି ରାଜ ପ୍ରସାଦଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ଯାହା ଏହି ଅଞ୍ଚଳରେ ବୃଦ୍ଧି ପାଇଥିବା ନକ୍ସଲ ଏବଂ ମାଓବାଦୀ ଘଟଣାକୁ ରୋକିବା ଦିଗରେ ପୋଲିସ କୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ସଂଗଠନର ଅନ୍ୟ ୭ ପୁରୁଷ ସଦସ୍ୟ ହେଲେ ଭୀମା କାଡ଼ଟି , ଭୀମା ବଞ୍ଜାମ , ବାଣ୍ଡି ବଞ୍ଜାମ , ଆର୍ମା ରାବା, ମାଳ ମାଡଭି , ଦେବା କାଡ଼ଟି ଏବଂ ଆୟତା ମାଡଭି । ସମସ୍ତେ ଛତିଶଗଡର ଦନ୍ତେୱାଡା ଜିଲା ମୁଲେର ଗାଁର ବାସିନ୍ଦା ଅଟନ୍ତି । କେକେବିଏନ୍ (କାଲାହାଣ୍ଡି-କନ୍ଧମାଳ-ବୌଦ୍ଧ -ନୟାଗଡ଼) ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନର ଉଭୟ ମହିଳା ମାଓବାଦୀ ହିଂସାତ୍ମକ କାର୍ଯ୍ୟକଳାପରେ ଜଡିତ ଥିଲେ । ସାଧାରଣ ଜୀବନଯାପନ କରିବାକୁ ସେମାନେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ କହିବାନୁସାରେ, ନକ୍ସଲ ସଂଗଠନରେ ମହିଳା କ୍ୟାଡରକୁ ଯୌନ ଉତ୍ପୀଡ଼ନ କରାଯିବା , ଅନ୍ୟକୁ ଭୟଭୀତ କରି ପାଣ୍ଠି ସଂଗ୍ରହ କରିବା , ମାଓବାଦୀମାନେ ବେଆଇନ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା , ଗଞ୍ଜାଇ ଚାଷ ଏବଂ ଚୋରା ଚାଲାଣ କରିବା , ଗଞ୍ଜାଇ ମାଫିଆଙ୍କ ଠାରୁ ଚାନ୍ଦା ଆଦାୟ ଏବଂ ଯୁବକ ଯୁବତୀ ମାନଙ୍କୁ ମିଥ୍ୟା ପ୍ରତିଶୃତି ଏବଂ ପ୍ରଚାର ଦ୍ୱାରା ସଂଗଠନ ରେ ସାମିଲ କରାଯାଉଛି । ନୂତନ ଓ କନିଷ୍ଠ କ୍ୟାଡର ପ୍ରତି ବରିଷ୍ଠ ନେତାଙ୍କ ଅନୈତିକ କାର୍ଯ୍ୟକଳାପ ଏବଂ ଅଭଦ୍ର ବ୍ୟବହାର ଦ୍ୱାରା ସେମାନେ ନିରାଶ ହୋଇଛନ୍ତି । ମାଓବାଦୀଙ୍କ ଅନୈତିକ କାର୍ଯ୍ୟକଳାପ ଦ୍ୱାରା ସେମାନେ ବିବ୍ରତ ଓ ନିରାଶ ହୋଇଥିଲେ ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ପ୍ରକାଶ କରିଛନ୍ତି । ଦକ୍ଷିଣାଞ୍ଚଳ ପୁଲିସ ଆଇଜି ଜୟନାରାୟଣ ପଙ୍କଜ ଏବଂ ଏସପି ରାଜ ପ୍ରସାଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଆତ୍ମସମର୍ପଣ ଏବଂ ଥଇଥାନ ଯୋଜନା ଅନୁସାରେ ସେମାନଙ୍କୁ ସମସ୍ତ ପ୍ରକାର ଆର୍ôଥକ ସହାୟତା ଯୋଗେଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଗତ କିଛିଦିନ ତଳେ ପୁଲିସ ସହ ସଂଘର୍ଷରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ମାଓବାଦୀଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଛି ବୋଲି ଏସ୍ପି ସୂଚନା ଦେଇଛନ୍ତି । ଚଳିତ ସାଧାରଣ ନିର୍ବାଚନ ସମୟରେ ମାଓବାଦୀଙ୍କ ଆତ୍ମସମର୍ପଣ କରିବା ପୁଲିସର ମନୋବଳକୁ ବଢ଼ାଇଛି ବୋଲି ସେ କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମରେ ବୌଦ୍ଧ ସମତେ ଅନ୍ୟ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଥିଲା ।
Related Stories
November 22, 2024