ଲଖିମପୁରଖିରି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଖିରି ଲୋକସଭା କ୍ଷେତ୍ରରେ ଏକ ନିର୍ବାଚନୀ ଜନସଭାରେ କଂଗ୍ରେସ, ସପା ଓ ବସପାକୁ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ସପା, ବସପା ଓ କଂଗ୍ରେସ ସଂରକ୍ଷଣ ଶେଷ କରିବାର କଥା କହି ନରେନ୍ଦ୍ର ମୋଦିଙ୍କୁ ବଦନାମ କରୁଛନ୍ତି । ପଛୁଆବର୍ଗଙ୍କ ସଂରକ୍ଷଣକୁ ହଡପ କରିବାର କାମ ସମାଜବାଦୀ ପାର୍ଟି ଓ କଂଗ୍ରେସ କରିଛନ୍ତି । ବିଜେପିକୁ ପୁଣି ଥରେ ବହୁମତ ମିଳିବା ପରେ ଏହି ସମ୍ବିଧାନ ବିରୋଧୀ ମୁସଲିମ ସଂରକ୍ଷଣକୁ ଶେଷ କରି ପଛୁଆବର୍ଗଙ୍କୁ ଦେବାର କାମ କରିବୁ । ଖିରି ଲୋକସଭା କ୍ଷେତ୍ରରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ବିଜେପି ପ୍ରାର୍ଥୀ ଅଟନ୍ତି । ରାଜକୀୟ ଇଂଟର କଲେଜ ମୈଦାନରେ ଆୟୋଜିତ ଜନସଭାରେ ଅମିତ ଶାହ ସପା ଓ କଂଗ୍ରେସକୁ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ରାହୁଲ ବାବା କହୁଛନ୍ତି ଯେ, ଆମେ ଗୋଟିଏ ଝଟକାରେ ଦାରିଦ୍ରତା ଦୂର କରିବୁ । ସେ ନିଜ ଟ୍ରାକ ରେକର୍ଡ ଦେଖନ୍ତୁ, ତାଙ୍କ ଜେଜେମାଆ ଗୋଟିଏ କ୍ଷଣରେ ଜରୁରୀକାଳୀନ ଲାଗୁ କରିଥିଲେ । ତାଙ୍କ ବାପା ଗୋଟିଏ ଝଟ୍କାରେ ଟ୍ରିପଲ ତଲାକକୁ ପୁଣି ଥରେ ଆଣିଥିଲେ ଏବଂ ଆପଣଙ୍କ ପାର୍ଟି ଗୋଟିଏ ଝଟ୍କାରେ ପଛୁଆବର୍ଗଙ୍କ ସଂରକ୍ଷଣ ଛଡାଇବାର କାମ କରିଛି ।