
ଧର୍ମଶାଳା, ଜୁନ ମାସ ୧ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରଚାର ସରଗରମ ହେଉଥିବା ବେଳେ ଯାଜପୁର ଜିଲା ଧର୍ମଶାଳା ବିଜେପିରେ ଦ୍ବନ୍ଦ ଏବେ ବି ଲାଗି ରହିଛି । ଏହି ଘଟଣାକୁ ନେଇ ଧର୍ମଶାଳା ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମଶାଳା ବିଜେପି ବିଧାୟିକା ପ୍ରାର୍ଥୀନୀ ସ୍ମୃତିରେଖା ପହି ଯୋଗଦେଇ ରାଜ୍ୟ ବିଜେପି ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ଟିକେଟ ଦେଇଛନ୍ତି । ଗତ ଡିସେମ୍ବର ମାସରେ ଜଣେ ଯୁବନେତା ବିଜେଡିରୁ ବିଜେପିକୁ ଆସି ଟିକେଟ ଆଶାୟୀ ଥିଲେ । ତାଙ୍କୁ ଟିକେଟ ନ ମିଳିବାରୁ ସେ ବିଭିନ୍ନ ସ୍ଥାନରେ ଦଳୀୟ ଚିହ୍ନ ବ୍ୟବହାର ସହ ସଭା ସମିତି କରି ମୋ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଉଛନ୍ତି । ଯାହାଦ୍ଵାରା ବିଜେପିର ଭୋଟ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ । ଦଳ ଭିତରେ ରହି ଦଳ ବିରୋଧରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସମ୍ପକ୍ତ ଯୁବନେତାଙ୍କ ବିରୋଧରେ ସେ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେବା ସହିତ ଦଳର ଶୀର୍ଷ ନେତୃତ୍ଵଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖୁବ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସାମ୍ବାଦିକ ସମ୍ମିଳନରେ ସୂଚନା ଦେଇଛନ୍ତି ।