ବଲାଙ୍ଗିର, ବଲାଙ୍ଗୀରର ବହୁଚର୍ଚ୍ଚିତ ବଲ୍ଲୁ ଭାଇ ଓରଫ ବଳରାମ ସିଂଯାଦବ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳିର ସ୍ଵାଧିନପ୍ରାର୍ଥି ଭାବରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ବହୁବର୍ଷ ହେଲା ବିଜେପି ଦଳରେ ରହି ସାରିଛନ୍ତି । ଚଳିତ ଥର ସେ ଭାଜପା ଦଳରୁ ଲୋକସଭା ପ୍ରାର୍ଥି ହେବାକୁ ଆବେଦନ କରିଥିଲେ । କିନ୍ତୁ ଭାଜପା ଦଳ ସାଂସଦ ଥିବା ସଂଗୀତା କୁମାରୀ ସିଂଦେଓଙ୍କୁ ଟିକେଟ ଦେଇଛି । ଫଳରେ ବଳରାମ ତାଙ୍କ ସମର୍ଥକମାନଙ୍କ ନିଷ୍ପତି କ୍ରମେ ସ୍ଵାଧିନ ପ୍ରାର୍ଥି ଭାବରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଗତ ୧ ତାରିଖରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୨ ତାରିଖରେ ଏକ ବିଶାଳ ଶୋଭାଯାତ୍ରା କରି ତାଙ୍କର ଶକ୍ତିପ୍ରଦର୍ଶନ କରିଛନ୍ତି । ପ୍ରାୟ ୭ ହଜାରରୁ ଅଧିକ ସମର୍ଥକଙ୍କୁ ନେଇ ବଲାଙ୍ଗୀର ସହରରେ ଏକ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ମୋଦୀ ଲହର ଚାଲିଥିବା ବେଳେ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ସଂଗୀତାବିରୋଧି ହାୱା ବହୁଛି । ସାଂସଦ ଥିବା ସଂଗୀତା କୁମାରୀ ସିଂଦେଓ ଦଳରେ ମନମାନୀ ଚଳାଇଥିବା ଓ ଅଞ୍ଚଳରେ କୌଣସି ବିକାଶ କାମ କରାଇନଥିବାରୁ ତାଙ୍କ ବିରୁଦ୍ଧରେ ଜନଅସନ୍ତୋଷ ରହିଛି । ସେହି କାରଣରୁ ଭାଜପାର ଅନେକ କାର୍ଯ୍ୟକର୍ତ୍ତା ସଂଗୀତାଙ୍କୁ ଦଳୀୟ ଟିକେଟ ନଦେବାକୁ ଦଳୀୟ ହାଇକମାଣ୍ଡଙ୍କୁ ପତ୍ର ଲେଖିଥିଲେ । ତଥାପି କୌଣସି ପ୍ରକାରେ ଟିକେଟ ହାତେଇବାରେ ସଂଗୀତା ସଫଳ ହୋଇଛନ୍ତି । କିନ୍ତୁ, ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ନିଷ୍ପତ୍ତି ଅନୁଯାୟୀ ତଥା କାର୍ଯ୍ୟକର୍ତ୍ତାଙ୍କ ସ୍ଵାଭିମାନକୁ ନେଇ ବଳରାମ ସ୍ଵାଧିନପ୍ରାର୍ଥି ଭାବରେ ଲଢୁଛନ୍ତି ବୋଲି କହିଛନ୍ତି । ବଲାଙ୍ଗୀରର ୧୪ଟି ଗୋଟି ବ୍ଲକ ଅଞ୍ଚଳ ଓ ସୋନପୁର ଜିଲ୍ଲାର ୬ ଗୋଟି ବ୍ଲକ ଅଞ୍ଚଳରୁ ୩୮୨ଟି ବୋଲେରୋ,୨୯ ଗୋଟି ମାକ୍ସପିକଅପ ଓ ୩୫୦ରୁ ଉର୍ଦ୍ଧ ମୋଟର ସାଇକେଲରେ ଏକ ବିଶାଳ ରାଲିରେ ୭ ହଜାରରୁ ଉର୍ଦ୍ଧ୍ବ ଲୋକ ଆସି ସହର ପରିକ୍ରମା କରିଥିଲେ । ଏଥିରେ ବଲାଙ୍ଗୀର ଜିଲ୍ଲା ଭାଜପାର ପୂର୍ବତନ ସଭାପତି ବିକ୍ରମାନନ୍ଦ ପାଣିଗ୍ରାହୀ, ସୁରେଶ ମିଶ୍ର, ଦିଲିପ ପୁରୋହିତ, ଧର୍ମ ନିରଂଜନ ପଣ୍ଡା, ମହେନ୍ଦ୍ର ମଲ୍ଲିକ, ଦିଲିପ ବିଶ୍ଵାଳ,୨୪ ଜଣ ପୂର୍ବତନ ସରପଞ୍ଚ,୧୭ ଜଣ ସମିତିସଭ୍ୟ ଓ ୭ ଜଣ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ହଜାର ହଜାର ଲୋକ ଯୋଗଦେଇଥିଲେ ।
ପ୍ରକାଶ ଯେ, ଗତ ଦୁଇବର୍ଷ ହେଲା ବଳରାମ(ବଲ୍ଲୁ) ସଂଗଠନ କାମ କରି ଆସୁଛନ୍ତି । ଭାଜପାର ଅନେକ ପୁରୁଣା କାର୍ଯ୍ୟକର୍ତ୍ତା, ଆରଏସଏସ କାର୍ଯ୍ୟକର୍ତ୍ତା ସିଧାସଳଖ ବଳରାମଙ୍କୁ ସମର୍ଥନ କରୁଥିବା ବେଳେ ନିର୍ବାଚନ ପାଇଁ ସେମାନଙ୍କ ସମର୍ଥନ ବଳରାମଙ୍କୁ ମିଳିପାରେ ।