କନ୍ଧମାଳ, ଫୁଲବାଣୀର ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଓମ ପ୍ରକାଶ ପଣ୍ଡାଙ୍କର ଆଜି ତାଙ୍କର ରାଇକିଆ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଆଜି ସକାଳ ପ୍ରାୟ ୯ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଓମ ପ୍ରକାଶ ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଦିର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ। ଗତ ପ୍ରାୟ ଏକ ବର୍ଷ ହେଲା ସେ ଚାକିରିରୁ ଅବସର ନେଇଥିଲେ। ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ତଥା ଜଣେ ଲୋକପ୍ରିୟ ବ୍ଯକ୍ତିତ୍ବର ଅଧିକାରୀ ଥିଲେ। କ୍ଯାନସର ରୋଗରେ ଆକ୍ରାନ୍ତ ହୋଇ ସେ ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ୯ଟା ସମୟରେ ସେ ଖାଦ୍ୟ ଗ୍ରହଣ କରିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ଫୁଲବାଣୀ ଅଣାଯିବା ପରେ, ବନ୍ଧୁ ଓ ସହପାଠୀ ମାନେ ପୂରୀ ସ୍ବର୍ଗଦ୍ବାରକୁ ଅନ୍ତ୍ଯେଷ୍ଟି କ୍ରିୟା ପାଇଁ ନେଇ ଯାଇଥିଲେ।
ତାଙ୍କର ଦେହାନ୍ତରେ ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ, ଆଲୁମିନ ଗ୍ରୁପର ସଦସ୍ୟ ସଦସ୍ୟା,ଫୁଲବାଣୀ ବନଜ୍ୟୋସ୍ନା ସାହିତ୍ୟ ସଂସଦର ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସମ୍ପାଦକ ଡ କାହ୍ନୁଚରଣ ଶତପଥି, ଉପସଭାପତି ଶରତ ଚନ୍ଦ୍ର ମହାନ୍ତିଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଓ ଅନ୍ୟ ବରିଷ୍ଠ ସାରସ୍ଵତ ପ୍ରେମୀ ମାନଙ୍କ ସମେତ ଫୁଲବାଣୀର ବରିଷ୍ଠ ସାମ୍ବାଦିକ ଡଃ. ଅରୁପ କୁମାର ଜେନା, ଜିଲ୍ଲା ପ୍ରେସକ୍ଲବ ର ସଭାପତି ସୂନୀଲ ପଟ୍ଟନାୟକ, ସମ୍ପାଦକ ବିରୁପାକ୍ଷ ସୁବୁଦ୍ଧି ଏବଂ ତାଙ୍କର ସହପାଠୀ ମାନେ ଗଭୀର ଶୋକ ବ୍ଯକ୍ତ କରିଛନ୍ତି। ମୃତ୍ଯୁ ବେଳକୁ ତାଙ୍କର ପତ୍ନୀ ସସ୍ମିତା ପାଣିଗ୍ରାହି ଓ ୧୪ ବର୍ଷର ପୁଅ ଥିଲେ। ଜୀବନ କାଳରେ ସେ ଅନେକ କବିତା ଓ ଗଳ୍ପ ରଚନା କରିଯାଇଛନ୍ତି। ତାଙ୍କର ଦେହାନ୍ତ ଯୋଗୁଁ ଫୁଲବାଣୀ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଫୁଲବାଣୀ ସାହିତ୍ୟିକ ମହଲରେ ଆଲୋଚନା ହୋଇଛି।