
ପୁରୀ,ଚଳିତ ବିଧାନସଭା ନିର୍ବାଚନ ପାଇଁ ପୁରୀ ଜିଲ୍ଲାର ୪ଟି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି । ନାମାଙ୍କନପତ୍ର ଦାଖଲର ପଞ୍ଚମ ଦିନରେ ୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୧୦୮ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ବିହାରୀବନ୍ଧୁ ପଲେଇ ଓ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୁରୀ ବିଧାନସଭା ପାଇଁ ଆମ ଆଦମୀ ପାର୍ଟିର ସତ୍ଯଜିତ ମହାନ୍ତି ଓ ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ମଲ୍ଲିକ ଓ ସଞ୍ଜୀବ କୁମାର ମହାପାତ୍ର ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପିପିଲିରୁ ଶୋଭାଯାତ୍ରା କରି ଆସି ପୁରୀରେ ପହଞ୍ଚିବା ପରେ ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସତ୍ଯବାଦୀ ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପ୍ରଧାନ ଓ ପବିତ୍ର ରାଉତରାୟ ନାମାଙ୍କନପତ୍ର ଦାଖଲ କରିଛନ୍ତି ।