-
ପ୍ରବଳ ଖରା ରେ କାର୍ଯ୍ୟ କରୁଛନ୍ତି ଶ୍ରମିକ ।
ବଲାଣି, ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ପୂର୍ବାହ୍ନ ୧୧ ଟା ସମୟ ଠାରୁ ଅପରାହ୍ନ ୩ ଟା ସମୟ ପର୍ଯ୍ୟନ୍ତ ଶ୍ରମିକଙ୍କୁ ନିୟୋଜିତ କରିବାକୁ ବାରଣ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି । ନିର୍ଦେଶର ଅବମାନନା ହେଲେ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଆଇନ ବଳରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିର୍ଦେଶନାମା ଖଣି ଅଞ୍ଚଳ ବଲାଣିରେ ପ୍ରହସନ ପାଲଟିଛି । କେନ୍ଦୁଝର ଜିଲ୍ଲାର ସଦର ମହକୁମା ବ୍ୟତୀତ ବିଭିନ୍ନ ସ୍ଥାନରେ ତାପମାତ୍ରା ସପ୍ତାହବ୍ୟାପୀ ହେଲା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଏଭଳି ଭୀଷଣ ଗରମରେ, ସରକାରଙ୍କ ନିର୍ଦେଶନାମା କୁ ବେଖାତିର କରି ବଲାଣି ଖଣିରେ ନିୟୋଜିତ ଠିକାଦାର ଶ୍ରମିକଙ୍କୁ ବାରଣ କରାଯାଇଥିବା ସମୟରେ ଟାଣ ଖରାରେ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହେଉଛି । ତେବେ ଆଶ୍ଚର୍ଯ୍ୟର ବିଷୟ ଖଣିର ସମ୍ପୃକ୍ତ ବିଭାଗ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଉନାହିଁ । ବଲାଣି ଖଣିର ପ୍ରକଳ୍ପ(ପ୍ରୋଜେକ୍ଟ) ବିଭାଗ ପକ୍ଷରୁ ଡିଏଭି ବଲାଣି ନିକଟରେ କର୍ମଚାରୀଙ୍କ କଲୋନୀ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏଠାରେ ନିୟୋଜିତ ଠିକାଦାର ସରକାରଙ୍କ ଦ୍ୱାରା ବାରଣ କରାଯାଇଥିବା ସମୟରେ ଶ୍ରମିକଙ୍କୁ କାମ କରିବାକୁ ବାଧ୍ୟ କରୁଛନ୍ତି । ସେତିକି ନୁହଁ ଏହି କାର୍ଯ୍ୟରେ ସୁରକ୍ଷାକୁ ଅଣଦେଖା କରାଯାଉଥିବାର ଅଭିଯୋଗ ହେଉଛି । ଏହା ବ୍ୟତୀତ ସିଭିଲ ବିଭାଗର ବିଭିନ୍ନ କାର୍ଯ୍ୟରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଛି । ବିଭିନ୍ନ ଠିକାଦାର ସରକାରଙ୍କ ନିର୍ଦ୍ଧେଶ କୁ ପାଳନ କରୁନଥିବା ବେଳେ ସଂପୃକ୍ତ ବିଭାଗ ମୌନ ରହିବା ଦ୍ୱାରା ଶ୍ରମିକଙ୍କ ଜୀବନ ପ୍ରତି ବିପଦ ରହିଛି । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆଇନ ଅନୁସାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।