ଭୋପାଳ, ରାଜ୍ୟର ରାଜଧାନୀର ରାଣୀ କମଳାପତି ରେଲୱେ ଷ୍ଟେସନରେ ଶୁକ୍ରବାର ସକାଳେ ପୁନେରୁ ଜମ୍ମୁ ତବି ଯାଉଥିବା ଟ୍ରେନ୍ ନଂ ୧୧୦୭୭ ଝେଲମ୍ ଏକ୍ସପ୍ରେସ୍ ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଭାଗଦୌଡ଼ ଦେଖିବାକୁ ମିଳିଥିଲା । ସୂଚନା ପାଇବା ପରେ ଜିଆରପି ରାଣୀ କମଳାପତି ରେଲୱେ ଷ୍ଟେସନରେ ଟ୍ରେନ୍ କୁ ଅଟକାଇବା ସହ ସତର୍କତାର ସହିତ ଟ୍ରେନ୍ ର ସମସ୍ତ ବଗିକୁ ଚେକିଂ କରାଯାଇଥିଲା । କିନ୍ତୁ, ଟ୍ରେନ୍ ରୁ କୌଣସି ବିସ୍ଫୋଟକ ମିଳିନାହିଁ । ଟ୍ରେନ୍ ରେ ବୋମା ଥିବା ନେଇ ଗୁଜବ ପ୍ରଚାର କରିଥିବା ଯାତ୍ରୀଙ୍କୁ ହେପାଜତରେ ନେଇଛି ଜିଆରପି ।
ଏଠାରେ ଉଲ୍ଲେଖଯୋଗ୍ୟ, ଝେଲମ୍ ଏକ୍ସପ୍ରେସ ପ୍ରତିଦିନ ସକାଳ ୮ଟା ୩୧ ରେ ରାଣୀ କମଳାପତି ରେଲୱେ ଷ୍ଟେସନରେ ପହଂଚି ଥାଏ । ଆଜି ଟ୍ରେନ୍ ଟି ରାଣୀ କମଳାପତି ରେଲୱେ ଷ୍ଟେସନରେ ପହଂଚିବା ପୂର୍ବରୁ ଟ୍ରେନ୍ ର ଏସ-୯ ବଗିରେ ଯାତ୍ରା କରୁଥିବା ପୁନେ ର ଜଣେ ଯାତ୍ରୀ ଟିସିଙ୍କୁ ଟ୍ରେନ୍ ରେ ବୋମା ଥିବା ନେଇ ସୂଚନା ଦେଇଥିଲା । ଟ୍ରେନ୍ ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଟିସି ତୁରନ୍ତ କଂଟ୍ରୋଲ୍ ରୁମ୍ କୁ ସୂଚନା ଦେଇଥିଲେ । ଏହାପରେ ଟ୍ରେନ୍ କୁ ରାଣୀ କମଳାପତି ଷ୍ଟେସନରେ ରୋକା ଯାଇଥିଲା ।