ନୂଆଦିଲ୍ଲୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀମାନଙ୍କୁ ଆସନ୍ତା ଜାନୁଆରୀ ୨୨ରେ ଫାଶୀ ଦିଆଯିବ । ୨୨ ତାରିଖ ସକାଳ ୭ଟା ସମୟରେ ଦୋଷୀମାନଙ୍କୁ ଫାଶୀ ଖୁଂଟରେ ଝୁଲାଇଦେବା ପାଇଁ ମଙ୍ଗଳବାର ଦିଲ୍ଲୀର ପତିଆଲା ହାଉସ କୋର୍ଟ ତିହାର ଜେଲ କର୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିବା ସହ ଅପରାଧୀମାନଙ୍କର ମୃତ୍ୟୁ ପରୱାନା ମଧ୍ୟ ପଠାଇ ଦେଇଛନ୍ତି । ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୫ ଅନୁସାରେ ଏହି ମାମଲାରେ ଅଦାଲତ ଡେଥ୍ ୱାରେଂଟ ଜାରି କରିଛନ୍ତି । ଫଳରେ ୪ ନିର୍ଭୟା ଦୋଷୀ ଫାଶୀଖୁଂଟରେ ଝୁଲିବା ନିଶ୍ଚିତ ହୋଇପଡ଼ିଛି ।
୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । କେବଳ ଫାଶୀ ହେବାର ତାରିଖ ଓ ସମୟକୁ ଅପେକ୍ଷା ରହିଥିଲା, ଯାହା ଆଜି ଘୋଷଣା ହୋଇଛି ।
୨୦୧୨ ମସିହା ଡିେସେମ୍ବର ୧୬ତାରିଖରେ ସଂଘଟିତ ଏହି ଜଘନ୍ୟ କାଣ୍ଡରେ ଫାଶୀ ଦିଆଯିବାକୁ ଥିବା ୪ ଜଣ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସିଂହ ଠାକୁର, ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା ।
ସୂଚନାଯୋଗ୍ୟ ୨୦୧୨ ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଂଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।
ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍ କୋର୍ଟ ଏହି ୪ ଅଭିଯୁକ୍ତ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଦୋଷୀ ଘୋଷଣା କରିବା ସହ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ । ୫ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବି·ର ପାଇଁ ଆବେଦନ କରିଥିଲେ ଏବଂ ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବି·ର ଆବେଦନକୁ ଖାରଜ କରିଦେଇଥିଲେ ।