
ଭୁବନେଶ୍ଵର, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ୭ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ସେହିସବୁ ସ୍ଥାନ ଗୁଡିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ହୀରାକୁଦ, ରାଉରକେଲା, ବାଲେଶ୍ଵର ଏବଂ ଚାନ୍ଦବାଲି । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁରରେ ୪୨.୩ ଡ଼ିଗ୍ରୀ, କେନ୍ଦୁଝରରେ ୪୨ ଡ଼ିଗ୍ରୀ, ହୀରାକୁଦରେ ୪୧.୮ ଡ଼ିଗ୍ରୀ, ରାଉରକେଲାରେ ୪୧.୮ ଡ଼ିଗ୍ରୀ, ବାଲେଶ୍ଵରରେ ୪୧.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୪୧.୨ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ, ପାରାଦୀପରେ ୩୩.୫ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି । ଏଥିସହ ଆଗାମୀ ୪ ଦିନ ରାଜ୍ୟରେ କେତେକ ସ୍ଥାନରେ ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।