– ଭଲ କାମ କଲେ ଥାନା ଅଧିକାରୀଙ୍କୁ ମିଳିବ ପଦୋନ୍ନତି
ଭୁବନେଶ୍ୱର – ଏଣିକି ଯେଉଁ ଥାନା ଅଧିକାରୀମାନେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ଓ ବ୍ୟବହାର ପ୍ରଦର୍ଶନ କରିବା ସହ ଭଲ କାର୍ଯ୍ୟ କରିବେ ସେମାନଙ୍କୁ ସମୟ ପୂର୍ବରୁ ପଦୋନ୍ନତି ମିଳିବ । ପ୍ରଶାଂସାପତ୍ର ମଧ୍ୟ ମିଳିବ । ଯେଉଁମାନେ ଏହା କରିବେ ନାହିଁ ତେବେ ସେମାନଙ୍କ ବିରୁଦ୍ଧରେ ପଦାବନତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ୫-ଟି କୁ ପୋଲିସ୍ ପ୍ରଶାସନ ରେ ଯେପରି ଭଲ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଥାନା ଗୁଡିକୁ ଲୋକାଭିମୁଖୀ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଆସନ୍ତା ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ‘ମୋ ସରକାର’ କାର୍ଯ୍ୟକ୍ରମର କର୍ଯ୍ୟକାରୀତା ନେଇ ଶନିବାର ଦିନ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬୩୫ ଥାନାର ଆଇଆଇସି ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨ ଠାରୁ ପ୍ରତିଦିନ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ୍ କରି ସେମାନେ ଥାନାରେ କିଭଳି ବ୍ୟହାର ଓ ସେବା ପାଇଲେ ସେ ନିଜେ ପଚାରି ବୁଝିବେ ।
nମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ ଏବଂ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ କରାଯିବ । ଥାନାକୁ ଆସୁଥିବା ପ୍ରତ୍ୟକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଂଜୀକରଣ କରାଯିବ ଏବଂ ଏସପି ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବ । ସେହିପରି ମହିଳାଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଥାନା ଅଧିକାରୀମାନଙ୍କୁ କହିଥିଲେ । ମୋ ସରକାର ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପୋଲିସ୍ ସଫଳତାର ସହ କାର୍ଯ୍ୟକାରୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଲେ ଯେ ପୋଲିସ୍ ଅଧିକରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ସହିତ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତମ ସେବା ଯୋଗାଇ ଦେବା ଉଚିତ ।
ସେହିପରି ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଚାଲିଥିବା ବ୍ୟାପକ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ପୋଲିଂସ୍ ମହାନିର୍ଦ୍ଦେଶକ ବି କେ ଶର୍ମା ସୂଚନା ଦେବା ସହ ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସମ୍ମାନର ସହ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ ଯେ ‘ମୋ ସରକାର’ ୫-ଟି ର କାର୍ଯ୍ୟକ୍ରମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସିଥାନ୍ତି । ତେଣୁ ମୋ ସରକାର କର୍ଯ୍ୟକ୍ରମ ଏହି ଦୁଇ ବିଭାଗର ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି ।