ଭୁବନେଶ୍ୱର, ବିଜେପି ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ଛୋଟ ପିଲାମାନଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ବିଜେଡିର ଏକ ପ୍ରତିନିଧି ଦଳ ବୁଧବାର ସିଇଓଙ୍କୁ ଭେଟି ଏନେଇ ସ୍ମାରକପତ୍ର ପ୍ରଦାନ କରିଛି ।
ବିଜେଡିର ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଏକ ସମ୍ବେଦନଶୀଳ ତଥ୍ୟ ନେଇ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲୁ । ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଗତ ଏପ୍ରିଲ ୨୩ ତାରିଖରେ ରାମଜୀ ମଣ୍ଡପ ସାରସପୀଠ, ବଲାଙ୍ଗୀରରେ ପିଲାମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛନ୍ତି । ପିଲାମାନଙ୍କୁ ବିଜେପି ପତାକା ଓ ଉତରିୟ ପକାଉଥିବା ଫଟୋ ଆମେ ସିଇଓଙ୍କୁ ଦେଇଛୁ । ସେହିପରି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଚିକିଟି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ମଧ୍ୟ ସମାନ କାମ କରୁଥିବା ନେଇ ସିଇଓଙ୍କୁ ଅବଗତ କରିଥିଲୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନସିସି ଅଫିସ ଓ କ୍ୟାଡେଟଙ୍କୁ ବ୍ୟବହାର କରିଛନ୍ତି । ପିଲା ମାନଙ୍କୁ ନିର୍ବାଚନରେ ବ୍ୟବହାର କରିବା ଆଦର୍ଶ ଆଚରଣ ବିଧିର ଉଲଂଘନ । ସିଇଓ ମଧ୍ୟ ଏ ଦିଗରେ ଯାଂଚ କରି ବିହିତ ପଦକ୍ଷେପ ନେବାର ପ୍ରତିଶୃତି ଦେଇଛନ୍ତି ବୋଲି ସେ କହିଛନ୍ତି ।