
ଭୁବନେଶ୍ୱର, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ (ଦେଶରେ ଚତୁର୍ଥ ପର୍ଯ୍ୟାୟ) ମତଦାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ଆସନ୍ତା ମଇ ୧୩ ତାରିଖରେ ମତଦାନ ହେବ । ମତଦାନ ପାଇଁ ଚୂଡ଼ାନ୍ତ ମତଦାତା ତାଲିକା ଏପ୍ରିଲ ୨୫ ତାରିଖରେ ପ୍ରକାଶିତ ହୋଇଛି ।
ଏହି ପର୍ଯ୍ୟାୟ ପାଇଁ ୪ଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬,୨୮୭,୨୨୨ ଜଣ ମତଦାତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୩,୦୯୭,୫୨୭ ଜଣ ପୁରୁଷ, ୩,୧୮୯,୦୬୦ ଜଣ ମହିଳା ଓ ୬୩୫ ଜଣ ତୃତୀୟଲିଙ୍ଗୀ ମତଦାତା ରହିଛନ୍ତି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ଯଥାକ୍ରମେ ୧୭୦୦୭୮୦, ୧୫୧୪୧୪୦, ୧୫୯୧୩୮୦, ୧୪୮୦୯୨୨ ଜଣ ଲେଖାଏଁ ମତଦାତା ରହିଛନ୍ତି । ଏହି ୪ଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ଲିଙ୍ଗ ଅନୁପାତ ଯଥାକ୍ରମେ ୯୯୯, ୧୦୩୯, ୯୯୬ ଓ ୧୦୯୫ ରହିଛି । ଚାରୋଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ୧୮ରୁ ୧୯ ବର୍ଷ ବୟସର ୧୭୫,୧୩୫ ଜଣ ନୂତନ ଭୋଟର ରହିଥିବାବେଳେ ୨୦-୨୯ ବର୍ଷ ବୟସର ୧,୪୬୮,୫୦୪ ଜଣ ଯୁବ ଭୋଟର ରହିଛନ୍ତି । ଚାରୋଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ମୋଟ ୭୨୮୯ଟି ବୁଥ୍ ଓ ୧୪ଟି ଅତିରିକ୍ତ ବୁଥ୍ ରହିଛି ।
ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନଙ୍କ ଦ୍ୱାରା ଏହି ସମସ୍ତ ମତଦାତାଙ୍କୁ ମତଦାତା ସୂଚନା ପତ୍ର (ଭୋଟର ଇନ୍ଫରମେସନ୍ ସ୍ଲିପ୍) ଯୋଗାଇ ଦିଆଯିବ । ଏହି ସୂଚନା ପତ୍ରରେ ମତଦାତାଙ୍କ ନାମ, ପାର୍ଟ ସଂଖ୍ୟା, କ୍ରମିକ ନମ୍ବର, ପୋଲିଂ ବୁଥ୍ ର ନାମ, ମତଦାନ ତାରିଖ ଆଦି ସମସ୍ତ ଜରୁରୀ ସୂଚନା ରହିଛି । ମତଦାତାଙ୍କ ସୁବିଧା ନିମନ୍ତେ ଏଥିରେ ଇପିକ୍ ନମ୍ବର ଏବଂ ବୁଥ୍ ର ରୋଡ଼୍ ମ୍ୟାପ୍ ମଧ୍ୟ ପ୍ରଦତ ରହିବ । ବୁଥ୍?ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଏହି ମତାଦାତ ସୂଚନା ପତ୍ର ସହ ‘ମତଦାତା ମାର୍ଗଦର୍ଶିକା’ ଓ ‘ଅଂଶୁଘାତ ସଚେତନତା ସୂଚନା ପତ୍ର’ ବଂଟନ କରିବେ । ଏହି ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକାଗୁଡ଼ିକ ସମସ୍ତ ଶତପ୍ରତିଶତ ମତଦାତାଙ୍କୁ ଯୋଗାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି ।