ମାଲକାନଗିରି, ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ମାନସ ମାଡକାମୀ ଓ ସାଂସଦ ପାର୍ଥି ପ୍ରଦୀପ ମାଝୀଙ୍କ ପାଇଁ କାଲିମେଳାରେ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । କାଲିମେଳା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ ପାଣ୍ଡିଆନ୍ କହିଥିଲେ, ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି ଆଦିବାସୀ ଭାଇଭଉଣୀଙ୍କ ଶ୍ରଦ୍ଧା ଓ ସହଯୋଗ ଦେଖି ବିରୋଧୀ ଡରୁଛନ୍ତି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀ ଭାଇଭଉଣୀଙ୍କୁ ନିଜ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଦେଇଆସିଛନ୍ତି । ସେମାନଙ୍କ କଳା, ସଂସ୍କୃତି, ଭାଷା, ଦେବସ୍ଥଳୀର ବିକାଶ ପାଇଁ ସ୍ଵତନ୍ତ୍ର ”ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ” ଗଠନ କରି ବିକାଶର ଧାରାକୁ ଆଗେଇ ନେଇଛନ୍ତି । ସବୁଠାରୁ ବଡକଥା ହେଲା ଆଦିବାସୀଙ୍କ ଉପରେ ଅନେକ ପୋଲିସ କେସ୍, ଏକସାଇଜ୍ କେସ୍ ଥିବାବେଳେ ମୁଖ୍ୟମନ୍ତ୍ରୀ ସେଥିରୁ ୫୦ ହଜାରରୁ ଅଧିକ କେସକୁ ରଦ୍ଦ କରିଛନ୍ତି, ଯାହା ବାସ୍ତବିକ ଏକ ଐତିହାସିକ ପଦକ୍ଷେପ ।
ଏହା ବ୍ୟତୀତ ଆଦିବାସୀ ପିଲାଙ୍କ ଭବିଷ୍ୟତ ଉଜ୍ଵଳ କରିବା ଲକ୍ଷ୍ୟରେ ରାଜ୍ୟରେ ଆବାସିକ ବିଦ୍ୟାଳୟ ସହ ହଷ୍ଟେଲ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟସେମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି। ରାଜ୍ୟରେ ଯେତେ ସରକାରୀ ଯୋଜନା ଆରମ୍ଭ ହୋଇଛି ଅଧିକାଂଶ ଏହି ମାଲକାନଗିରି ଜିଲ୍ଲାରୁ ହିଁ ଆରମ୍ଭ ହୋଇଛି । ୨୦୦୮ରେ ୨ ଟଙ୍କିଆ ଚାଉଳ, କ୍ରମେ ମାଗଣା ଚାଉଳ ଯୋଗାଣ ଯୋଜନା ମାଲକାନଗିରିରୁ ହିଁ ଆରମ୍ଭ ହୋଇଥିଲା । କେବଳ ଏତିକି ନୁହେଁ ଗରୀବ, ସରଳ ଆଦିବାସୀଙ୍କ ସ୍ଵାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବାକୁ ବିଏସକେୱାଇ ଯୋଜନା ଆରମ୍ଭକଲେ, ଯାହାଦ୍ଵାରା ସେମାନେ ରାଜ୍ୟ ତଥା ରାଜ୍ୟ ବାହରର ବଡ ବଡ ହସ୍ପିଟାଲ ଯାଇ ଚିକିତ୍ସା କରାଇପାରିବେ । ଆଦିବାସୀ ଅଧ୍ୟୁଷିତ ଇଲାକରେ ଗମନାଗମନ ସୁବିଧା ପଇଁ ମଧ୍ୟ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରି ବିଜେଡି ନବୀନ ସରକାର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି । ଆଗକୁ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ସାମୂହିକ ବିକାଶକୁ ତ୍ଵରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା କହିଛନ୍ତି ଭି କେ ପାଣ୍ଡିଆନ୍ ।
ଏହି ଅବସରରେ ଉଭୟ ବିଧାୟକ ଓ ସାଂସଦ ପାର୍ଥି ଉପସ୍ଥିତ ଥିଲେ।