
-
୪ ଅସୁସ୍ଥ ମେଡିକାଲରେ ଭର୍ତି
ବାରିପଦା, ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆର ଜୋନାଲ୍ ଅଫିସ୍ ରେ ଆଜି ଦିନ ପ୍ରାୟ ୧ଟା ୩୦ ସମୟରେ ଘଟିଛି ଅଗ୍ନିକାଣ୍ଡ । ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ଲାଗିଥିଲା ନିଆଁ । ତୃତୀୟ ମହଲାରେ ଥିବା କ୍ୟାଂଟିନ୍ ରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । କ୍ୟାଂଟିନ୍ ରେ ରୋଷେଇ ଚାଲିଥିବା ବେଳେ ନିଆଁ ଲାଗିଥିଲା । ଘଟଣାସ୍ଥଳରୁ ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ରହିଛନ୍ତି । ସେମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପି.ଆର.ଏମ.) ମେଡିକାଲ କଲେଜରେ ଭର୍ତି କରାଯାଇଛି । ପ୍ରବଳ ଧୂଆଁରେ ଏମାନେ ଅସୁସ୍ଥ ହୋଇପଡିଥିଲେ । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀର ୪ଟି ଟିମ୍ ଓ ୨ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ପ୍ରାୟ ୧ ଘଂଟାର ପ୍ରଚେଷ୍ଟା ପରେ ନିଆଁକୁ ଆୟତ କରିଛି ଦମକଳ ବାହିନୀ ।
ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତରୁ ବ୍ୟାଙ୍କରେ ଅଗ୍ନି ନିରାପତା ବ୍ୟବସ୍ଥା ଠିକ୍ ନଥିବାରୁ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ତଦନ୍ତ ପରେ କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଏବଂ ଏଥିରେ କେତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।