ସମ୍ବଲପୁର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ସମ୍ବଲପୁର ଜିଲ୍ଲାର ଏକାଧିକ ପ୍ରମୁଖ ସାରସ୍ୱତ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ‘ମହାନଦୀ ସାହିତ୍ୟ ଉତ୍ସବ’ରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ଲୋକକଳା, ଲୋକପରମ୍ପରା, ଖାଦ୍ୟପେୟ ପ୍ରତି ମୋର ଛାତ୍ରାବସ୍ଥାରୁ ଆବେଗ ଅଛି । ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ ଯିବା ମୋତେ ପସନ୍ଦ ଲାଗେ । ପ୍ରସିଦ୍ଧ ରଙ୍ଗବତୀ ଗୀତ ଓ ଲୋକପ୍ରିୟ ନୃତ୍ୟ ଡାଲଖାଇ ପ୍ରତି ମୋର ବିଶେଷ ଆକର୍ଷଣ ଅଛି ।
ସେ କହିଛନ୍ତି ଯେ, ଭାଷା ଆମର ପରିଚୟ । ଆଜି ଜାତୀୟ ଶିକ୍ଷା ନୀତିରେ ସମ୍ବଲପୁରୀ ଭାଷା ସମେତ ସବୁ ଭାରତୀୟ ଭାଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । କୌଣସି ଭାଷା ଆଂଚଳିକ ଭାଷା ନୁହେଁ । ସବୁ ଭାଷା ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତକୁ ପରାଧୀନ ରଖିବା ପାଇଁ ଟି.ବି.ମାକାଉଲେ ପ୍ରଚଳନ କରିଥିବା ଶିକ୍ଷା ପଦ୍ଧତିରୁ ବାହାରି ବର୍ତ୍ତମାନ ସମୟରେ ଆମ ମାତୃଭାଷା ଓ ସ୍ଥାନୀୟ ସଂସ୍କୃତିର ଅନ୍ତରାଷ୍ଟ୍ରୀୟ ସ୍ତରରେ ବହୁଳ ପ୍ରଚାର କରିବା । ସମ୍ବଲପୁର ଅଞ୍ଚଳ ସାମର୍ଥ୍ୟ, ଶକ୍ତି ଓ ଗଭୀରତାରେ ପରିପୂର୍ଣ୍ଣ । ସମ୍ବଲପୁରର ସାହିତ୍ୟ ସ୍ଥାନୀୟ ଜୀବନ ପଦ୍ଧତିକୁ ଆଗକୁ ନେବାର ଶିକ୍ଷା ଦେଇଥାଏ । ଏହାକୁ ଉପଯୋଗ କରି ମହାନଦୀ ସାହିତ୍ୟ ଉତ୍ସବକୁ ଆୟୋଜନ କରୁଥିବା ପ୍ରମୁଖ ସାରସ୍ୱତ ଅନୁଷ୍ଠାନର ମିଳିତ ସହଯୋଗରେ ଆମେମାନେ ସନ୍ଥ କବି ଭୀମ ଭୋଇ କବିତା ମାଧ୍ୟମରେ ଦେଇଥିବା କ୍ରାନ୍ତିକାରୀ ବିଚାର ସହ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଗକୁ ନେବା ।