କନ୍ଧମାଳ, ୧୩-କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ଏନ୍. କେ. ମିଶ୍ର, ଆଇ.ଆର୍,ଏସ୍. ଏବଂ ୮୨-ବାଲିଗୁଡ଼ା, ୮୩-ଘୁ.ଉଦୟଗିରି ଓ ୮୪-ଫୁଲବାଣୀ ବିଧାନସଭା ପାଇଁ ଶ୍ରୀ ଏସ୍. ଅରୁନ୍ କୁମାର, ଆଇ.ଆର୍,ଏସ୍. ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ କନ୍ଧମାଳ ଜିଲ୍ଲାରେ ଯୋଗ ଦେଇଛନ୍ତି । ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବା ପାଇଁ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ଓ ଶାନ୍ତିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ନିୟୋଜିତ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ବିଧିଦ୍ଧଭାବେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଥିଲେ । ତେବେ ମତଦାନ ଓ ଭୋଟ ଗଣନାର ଅବ୍ୟବହିତ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ, କନ୍ଧମାଳ ଆଶିଷ ଇଶ୍ଵର ପାଟିଲ୍ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିଯୁକ୍ତ ହୋଇଥିବା ଆକାଉଣ୍ଟିଂ ଟିମ୍, ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଟିମ୍, ସ୍ଟାଟିକ୍ ସର୍ଭେଲାନ୍ସ ଟିମ୍, ଭିଡିଓ ସର୍ଭେଲାନ୍ସ ଟିମ୍, ଭିଡିଓ ଭୁ୍ୟଇଙ୍ଗ୍ ଟିମ୍, ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ ଟିମ୍, ଏମ୍.ସି.ଏମ୍.ସି. ଅଭିଯୋଗ ମନିଟରିଂ କଣ୍ଟ୍ରୋଲ୍ ରୁମ୍,ଏବଂ କଲ୍ ସେଣ୍ଟର୍ ଏବଂ କେନ୍ଦ୍ରୀୟ ତଥା ରାଜ୍ୟ ଏନ୍ଫୋର୍ସମେଣ୍ଟ ଏଜେନ୍ସିର କାର୍ଯ୍ୟ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ଟିମ୍ ର ନୋଡାଲ ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗଠିତ ହୋଇଥିବା ବିଭିନ୍ନ ଟିମ୍ ର ସଦସ୍ୟ ସଦସ୍ୟାମାନେ ସେମାନଙ୍କ ଦାୟିତ୍ଵକୁ ସୁଚାରୁରୂପେ ତୁଲାଇବାକୁ ବ୍ୟୟ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ଏବଂ ଅରୁନ୍ କୁମାର କହିବା ସହିତ ସମସ୍ୟା ସମାଧାନ ପାଇଁ ସେମାନଙ୍କର ସହଯୋଗ ରହିବ ବୋଲି କହିଥିଲେ ।
ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ (ନିର୍ବାଚନ) ରମେଶ ଚନ୍ଦ୍ର ଜେନା, ଉପ-ଜିଲ୍ଲାପାଳ, କନ୍ଧମାଳ ଚିରଞ୍ଜନ ମହନ୍ତ, ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ଵର ପାତ୍ରଙ୍କ ସମେତ ନିର୍ବାଚନ ସହିତ ସଂଶ୍ଲିଷ୍ଟ ଅନ୍ୟ ଅଧିକାରୀ ତଥା ବିଭିନ୍ନ ଟିମ୍ ର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।