ମୋଟ ୯୧ ଟି ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ
ବାରିପଦା – ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଜାନୁଆରୀ ୬ ପ୍ରଥମ ସୋମବାର ଜିଲ୍ଲା ସଦର ମହକୁମା ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ତତ୍ୱାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫାସିଲେସନ୍ କେନ୍ଦ୍ରରେ ଅନୁଷ୍ଠିତ ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜନସାଧାରଣଙ୍କଠାରୁ ଗୃହୀତ ହୋଇଥିବା ମୋଟ ୯୧ଟି ବିଭିନ୍ନ ଆପତି ଅଭିଯୋଗର ସମସ୍ୟା ସଂପର୍କିତ ଶୁଣାଣି ହୋଇଥିଲା । ଏଥିରେ ୮୦ ଟି ଅଭିଯୋଗ ପତ୍ର ବ୍ୟକ୍ତିଗତ ଓ ୧୧ଟି ଆପତି ଅଭିଯୋଗ ପତ୍ର ଗ୍ରାମବାସୀଙ୍କ ସାମୁହିକ ବିଭିନ୍ନ ସମସ୍ୟା ସଂପର୍କିତ ଅଭିଯୋଗ ଉପରେ ଜିଲ୍ଲାପାଳ ଶୁଣାଣି କରିଥିଲେ । ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହୟତା ପାଇଁ ଆସିଥିବା ଆବେଦନ ପତ୍ର ଉପରେ ଜିଲ୍ଲାପାଳ ପରିସ୍ଥିତିକୁ ବିଚାର କରି ୨ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୮ ହଜାର ଆର୍ଥିକ ସହାୟତା ମଞ୍ଜୁର କରିଥିଲେ । ଶିବିରରେ ୯ଟି ଅଭିଯୋଗର ତୂରିତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ବିଷୟ ପ୍ରସଙ୍ଗ ସମସ୍ୟା ଉପରେ ଶୁଣାଣି କରାଯାଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ସହକାରୀ ଜିଲ୍ଲାପାଳ ତଥା ଆଇ.ଏ.ଏସ୍ ପ୍ରବେସନର ଭୂବନେଶ୍ୱ ଦେବୀଦାସ ପାଟିଲ୍, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ ନାୟକ, ବାରିପଦା ପି.ଏ. ଆଇ.ଟି.ଡି.ଏ, ବିଜନ କୁମାର ଥମ୍ବ, ଏ.ଡି.ଏମ୍.ଓ. ମେଡିକାଲ ପ୍ରମୁଖ ସମେତ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ପଦାଧିକାରୀ, ବାରିପଦା ଉପଖଣ୍ଡ ର ସମସ୍ତ ତହସିଲଦାର, ବି.ଡି.ଓ. ଏବଂ ସଂପୃକ୍ତ ଲାଇନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀ ଅଧିକାରୀ ତଥା ପିଜିସେଲ୍ ନୋଡାଲ୍ ଅଧିକାରୀ, ସୁଜୟ କୁମାର ପତି ଓ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ , ପିଜିସେଲ୍ ଓ ଜିଲ୍ଲା ଜରୁରୀ ବିଭାଗ ସଂପୃକ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।