
ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଓଡିଶାର ବରପୁତ୍ର ତଥା ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ତଥା ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ପ୍ରାରମ୍ଭରେ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଭୋଇ, ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନନ୍ଦ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ମାଝୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ବାଲାରାଜୁ ପାଢି, ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଦୁର୍ଯ୍ୟୋଧନ ପାତ୍ର, ପଲିଟେକନିକ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଓଡିଶାର ବରପୁତ୍ର ତଥା ଓଡିଶାକୁ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା, ଓଡିଆ ଭାଷାକୁ ସ୍ଵତନ୍ତ୍ର ଭାଷା ମାନ୍ୟତା ଦେବାରେ ପାରଳା ମହାରାଜାଙ୍କ ଅବଦାନ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ସପ୍ତାହକୁ ଥରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡିଶାର ମହାପୁରୁଷମାନଙ୍କ ସମ୍ବନ୍ଧରେ ବକ୍ତୃତା ପ୍ରତିଯୋଗିତା କରାଯିବା ସହ ଓଡିଶାର ଇତିହାସ, ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ, ଓଡିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଯେଉମାନଙ୍କ ଅବଦାନ ଥିଲା ସେମାନଙ୍କ ସମ୍ବନ୍ଧରେ ଆଗାମୀ ପୀଢି ସେହି ମହାପୁରୁଷ ମାନଙ୍କୁ ଯେପରି ମନେ ରଖିବେ ତାହା ଉପରେ ଆଲୋକପାତ କରାଯିବ । ଯଦ୍ଵାରା ଆଗାମୀ ପୀଢି ଓଡିଶାର ଇତିହାସ, ମହାପୁରୁଷମାନଙ୍କ ଅବଦାନକୁ ମନେ ରଖିବେ ।
ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହି ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନକୁ ସ୍ମରଣ କରିଥିଲେ । ଶେଷରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପୂର୍ବତନ ସମ୍ପାଦକ ତଥା ଉପଦେଷ୍ଟା ରବିନ୍ଦ୍ର କୁମାର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।