-
ଜିଲ୍ଲା ଓ ଜିଲ୍ଲା ବାହାରେ କରୁଥିଲେ ମୋଟର ସାଇକେଲ ଚୋରୀ
କନ୍ଧମାଳ, କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅଧିନରେ ଥିବା ସାରଙ୍ଗ ଗଡ଼ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗତ ୨୧/୪/୨୪ ରେ ଗୁଞ୍ଜି ବାଡି ଠାରେ ହୋଇ ଥିବା ଏକ ମଟର ସାଇକେଲ ଚୋରି ଘଟଣାର ଅନୁସନ୍ଧାନ କରିବା ପରେ ଏକ ରାକେଟ ଠାବ ହୋଇଛି। ପୋଲିସ ତଦନ୍ତ ବେଳେ ଗୁଞ୍ଜି ବାଡିର କରମେନ୍ଦ୍ର ଦିଗାଲର ପୁଅ ମୁକେଶ ଦିଗାଲକୁ (୨୦) ଗିରଫ କରି ପଚରା ଉଚୁରା ପରେ ସିମନ ବାଡିର ପେରିତ ଦିଗାଲର ପୁଅ ଚିକୁନା ଦିଗାଲ ଓରଫ ଆବ୍ରାହ୍ମ (୧୯), ବିଶ୍ଵାମିତ୍ର ପ୍ରଧାନର ପୁଅ ଅଲେଖ ପ୍ରଧାନ ଓରଫ ଆଲେଶ (୧୯), ଓଡ଼ଗାଁ ଥାନାର ପାଣ୍ଡବ ବେହେରାର ପୁଅ ସୁରେନ୍ଦ୍ର ବେହେରା (୩୦),ବାଲିଗୁଡା ଥାନା ତଗାକିଆ ଉଦେଶନା ଗୌଡର ପୁଅ ଗୌର ଗୌଡ(୨୦) ଓ ନୂଆସାହିର ଦେବରାଜ ବାଗର ପୁଅ ସୁଧାଂଶୁ ବାଗ(୨୪) ଛଅ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ଓଡି ୧୮ବି ୬୯୧୧,ଓଡି ୩୩ଜି ୯୦୯୧,ଓଡି ୩୨ବି ୪୦୩୪,ଓଡି ୧୨ଡି ୨୮୮୬,ଓଡି ୦୫ ବିଏ ୦୯୭୪ ଓ ଓଡି ୧୨ଏ ୨୧୭୬ ହିରୋହୁଣ୍ଡା ସ୍ପେଣ୍ଡର, ହୁଣ୍ଡା, ଡିଲକ୍ସ ଓ ଆପାଚି ଭଳି ୬ଟି ମୋଟର ସାଇକେଲ ଜବତ କରିଛି। ଏନେଇ ଆଜି ସାରଙ୍ଗଗଡ଼ ଥାନାରେ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହି ରାକେଟ ଠାବ ହୋଇ ଥିବାର ବିସ୍ତୃତ ବିବରଣୀ ଦେଇଥିଲେ। ସାରଙ୍ଗ ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ଥାନା କେସ ନଂ ୪୪/୨୪ ଧାରା ୩୭୯, ୩୪ ରେ ମାମଲା ରୁଜୁ କରି ଏସଆଇ କୃଷ୍ଣ ଚନ୍ଦ୍ର ବେହେରା ଅଧିକ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି।