
ଭୁବନେଶ୍ୱର, ନବୀନ ବାବୁଙ୍କ ୨୫ ବର୍ଷର ସରକାର ଓଡ଼ିଶାର ଯୁବ ସମାଜ ପାଇଁ ବିକାଶ ନୁହେଁ ବିନାଶ କାଳ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପଂଚାନ ଦାଶ କହିଛନ୍ତି । ଶ୍ରୀ ଦାଶ ଆହୁରି ମଧ୍ୟ କହିଛନ୍ତି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଭାରତର ଅନ୍ୟ ରାଜ୍ୟ ମାନଙ୍କ ଠାରୁ ବେଶୀ ବିକଶିତ । ସେଠାରେ ସରକାର ନିୟମିତ ପରିବର୍ତନ ହୁଏ । ସେଇ ଦକ୍ଷିଣ ଭାରତରୁ ଗୋଟିଏ ଲୋକ ଓଡ଼ିଶାର ଲୋକଙ୍କ ବିନା ସହମତିରେ ଓଡ଼ିଶାକୁ ଶାସନକୁ କୌଶଳ କରି ହାତେଇ କହୁଛନ୍ତି ନବୀନ ବାବୁଙ୍କ ମୁହଁକୁ ଦେଖି ଭୋଟ ଦିଅନ୍ତୁ ଏବଂ ହେବାର ଆଶା ଆକାଂକ୍ଷାକୁ ଛାଡ଼ି ସେଇ ନିକୃଷ୍ଟ ଜୀବନ ଯାପନ କରନ୍ତୁ । ବେରୋଗାରୀ ବର୍ତମାନ ଦେଶର ସବୁଠାରୁ ଗୋଟିଏ ପ୍ରସଙ୍ଗ । ନବୀନ ସରକାର ଓଡ଼ିଶାରେ ବେରୋଜଗାରୀର ସମସ୍ୟାକୁ ଲାଘବ କରିବା ପରିବର୍ତେ ଉତ୍କଟ କରିସାରିଲେଣି । ସେଂଟର ଫରଦି ଷ୍ଟଡି ଅଫ ଡେଭଲପିଙ୍ଗ ସୋସାଇଟ ରିପୋର୍ଟ ଅନୁସାରେ ଦେଶର ବେରୋଜଗାରୀ ଜନତାଙ୍କ ଆଗରେ ସବୁଠାରୁ ବଡ଼ ପ୍ରସଙ୍ଗ (୨୭%) ତାପରେ ମୁଲ୍ୟବୃଦ୍ଧି (୨୩%) । ଏବେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ସହଯୋଗରେ ମାନବ ସମ୍ବଳ ପ୍ରତିଷ୍ଠାନ ଭାରତ ରୋଜଗାର ରିପୋର୍ଟ ୨୦୨୪ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ସ୍ନାତକ ଡିଗ୍ରୀଧାରୀ ପିଲାଙ୍କ ମଧ୍ୟରୁ ୨୯.୧% ବେରୋଜଗାର । ଶିକ୍ଷା ସ୍ତର ସହିତ ଯୁବ ବେରୋଗାରୀ ହାର ବୃଦ୍ଧି ପାଇବା ଲକ୍ଷ କରାଯାଉଛି । ସ୍ନାତକ କିମ୍ବା ତାଠାରୁ ବେଶୀ ବଡ଼ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବେରୋଜଗାରୀ ହାର ସର୍ବାଧିକ ଏବଂ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ବେରୋଜଗାରୀ ହାର ଅଧିକ । ଚିନ୍ତାଜନକ ବିଷୟ ହେଲା ୨୮.୫% ଯୁବ ବେରୋଜଗାର, ଶିକ୍ଷା ଏବଂ ପ୍ରଶିକ୍ଷଣରେ ନାହାନ୍ତି । ୨୮.୫% ଯୁବ ରୋଜଗାର, ଶିକ୍ଷା ଏବଂ ପ୍ରଶିକ୍ଷଣରେ ନାହାନ୍ତି । ପୁରୁଷଙ୍କ ୯.୮% ପ୍ରତିଶତ ତୁଳନାରେ ଏହା ମହିଳାଙ୍କ ପାଇଁ ୪୮.୪% । ବିଭିନ୍ନ ସର୍ଭେ ରିପୋର୍ଟ ଦର୍ଶାଉଛି ଯେ ନିୟମିତ ରୋଜଗାର କମି କମି ଯାଉଛି ଏବଂ ରୋଜଗାର ଭିତରେ ସ୍ୱ ରୋଜଗାର ପ୍ରତିଶତ ବଢ଼ି ବଢ଼ି ଯାଉଛି । ଆତ୍ମ ନିଯୁକ୍ତିର ଅଂଶ ୨୦୧୮-୧୯ ଆର୍ଥିକ ବର୍ଷରେ ୫୨.୧ ପ୍ରତିଶତରୁ ୨୦୨୨-୨୩ ରେ ୫୭.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଆଂଚଳିକ ପାର୍ଥକ୍ୟ ଏବଂ ନିଯୁକ୍ତିର ଗୁଣବତା ଏବଂ ସ୍ଥିତିର ଅଗ୍ରଗତି ଆକଳନ କରିବାକୁ, ଭାରତର ୨୨ ଟି ପ୍ରମୁଖ ରାଜ୍ୟ ପାଇଁ ଏକ ମିଶ୍ରିତ ସୂଚକାଙ୍କ- ନିଯୁକ୍ତି ସ୍ଥିତି ସୂଚକାଙ୍କ ନିର୍ମାଣ କରାଯାଇଥିଲା । ଏହି ସୂଚକାଙ୍କ ଅନୁସାରେ ୨୦୦୫ ମସିହାରେ ଓଡ଼ିଶା ୨୨ଟି ପ୍ରମୁଖ ରାଜ୍ୟରେ ସର୍ବ ନିମ୍ନରେ ଥିଲା, ୨୦୧୨, ୨୦୧୯ ଏବଂ ୨୦୨୨ ବର୍ଷ ଗୋଟିଏ ସ୍ଥାନ ଉପରକୁ ଉଠି ୨୧ ତମ ଥିଲା । କେବଳ ବିହାର ଓଡ଼ିଶା ତଳେ ରହି ଆସିଛି ଏବଂ ଅନ୍ୟସବୁ ରାଜ୍ୟର ସ୍ଥିତି ଓଡ଼ିଶା ଠାରୁ ଉନ୍ନତ । ପୁରୁଷ ମାନଙ୍କ ପାଇଁ ଶ୍ରମଶକ୍ତିର ଅଂଶଗ୍ରହଣ ହାର ସାତ ବର୍ଷର ସର୍ବନିମ୍ନ ୬୬% ଥିବା ବେଳେ ମହିଳାଙ୍କ ପାଇଁ ଏହା ମାତ୍ର ୮.୮% ରହିଥିଲା । ସାମଗ୍ରିକ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି ହ୍ରାସ ପାଉଥିବା ବେଳେ ଶିକ୍ଷାର ବିସ୍ତାର ସହିତ ଭାରତର ଯୁବ ନିଯୁକ୍ତି ଚ୍ୟାଲେଞ୍ଜ ଏକ ଗୁଣାତ୍ମକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ଏହା ଦ୍ୱାରା ଯୁବ ବେକାରୀ, ବିଶେଷ କରି ଶିକ୍ଷିତ ଯୁବତୀ ମାନଙ୍କ ମଧ୍ୟରେ ତୀବ୍ର ବୃଦ୍ଧି ଘଟିଛି । ଏହି ଆହ୍ୱାନ ମହିଳା ଏବଂ ସାମାଜିକ-ଆର୍ଥିକ ଦୃଷ୍ଟିରୁ ବଂଚିତ ବର୍ଗଙ୍କ ପାଇଁ ଏବଂ ତୁଳନାତ୍ମକ ସ୍ୱଳ୍ପ ଆୟକାରୀ ଯୁବକମାନଙ୍କ ପାଇଁ ଉତ୍କଟ ଅଟେ । ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଉଭୟ ସେବା ଏବଂ ଉତ୍ପାଦନର ପୁଞ୍ଜି ତୀବ୍ରତା ଅଧିକ । ଶ୍ରମ ବହୁଳ ବିଶେଷକରି ଉତ୍ପାଦନ ଏବଂ ସାମାଜିକ କ୍ଷେତ୍ରରେ ଚାକିରି ବିସ୍ତାର କରିବାକୁ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ନୀତି ମାଧ୍ୟମରେ ବିଭିନ୍ନ ଅର୍ଥନୀତିର ବିଭିନ୍ନ ଅଙ୍ଗକୁ ବିକାଶ କରି ଏକ ସୁବିଧାଜନକ ପରିସ୍ଥିତିରେ ପରିଣତ କରାଯାଇପାରିବ ବୋଲି ଶ୍ରୀ ଦାଶ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିିସିସି ମୁଖପାତ୍ର ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।