
ଭୁବନେଶ୍ୱର,ଓଡିଶାର ସୀମାନ୍ତ ଅଂଚଳ ଅସୁରକ୍ଷିତ । ଆନ୍ଧ୍ର ପ୍ରଦେଶ ସହିତ କୋଟିଆ ଗ୍ରାମପୁଞ୍ଜ, ପୋଲାଭରମ ଓ ନାରାୟଣପାଟଣା ଭଳି ବହୁ ଅଞ୍ଚଳରେ ବିବାଦ ଲାଗି ରହିଛି । ଏକଡେ ଛତିଶଗଡ ସରକାର ସହିତ ମହାନଦୀ ପାଣି ସମସ୍ୟା ସମାଧାନ ହୋଇନଥିବା ବେଳେ ଓଡିଶାର ଜମିକୁ ତାଙ୍କ ରାଜ୍ୟର ଭୂମିହୀନ ମାନଙ୍କୁ ପ୍ରଦାନ କରୁଛି । ଅନ୍ୟ ପାଖରେ ପଶ୍ଚିମବଙ୍ଗ ସରକାର ସୀମାନ୍ତ ବାଲେଶ୍ୱର ଜିଲ୍ଲାର ଶଙ୍ଖମେଦି ଗ୍ରାମ, ଉଦୟପୁର ବେଳାଭୂମୀ ଓ ସାହାବାଜିପୁରରେ ଜବରଦଖଲ ଉଦ୍ୟମ କରୁଛି । ଝାଡଖଣ୍ଡ ସହିତ ମଧ୍ୟ ସୀମା ସମସ୍ୟା ଅଛି । ଏହି ଭଳି ୯୬ ଟି ସୀମାନ୍ତ ଗ୍ରାମ ସମସ୍ୟା ଘେରରେ ଅଛନ୍ତି । ରାଜ୍ୟ ସୀମା ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ନିର୍ବାଚନ ଇସ୍ତାହାରରେ ରଖିବା ସହିତ ଦୃଢ ପ୍ରତିଶ୍ରୁତି ଦେବାକୁ ଉତ୍କଳ ସମ୍ମିଳନୀ ଦାବି କରିଛି । ଜଣେ ବ୍ୟକ୍ତି ଓଡିଶା ଓ ଆନ୍ଧ୍ର ପ୍ରଦେଶ ଦୁଇଟି ସ୍ଥାନରେ କିପରି ଭୋଟ ଦେବେ ? ଓଡିଶା ଭୋଟରଙ୍କୁ ଆନ୍ଧ୍ର ପ୍ରଦେଶରେ ଭୋଟ ଦେବାକୁ ବାରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନିର୍ବାଚନ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଧିବକ୍ତା ଅନନ୍ତ ପ୍ରସାଦ ଜେନା, ଉପ-ସଭାପତି ଡ. ସୁରେନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ କୁମାର ମହାପାତ୍ର, ଶିବବ୍ରତ ମହାନ୍ତି, ଅକ୍ଷୟ କୁମାର ଜେଠୀ, ସୁରଜିତ ପରିଡା ଓ ସୁଧା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।