କନ୍ଧମାଳ, ବାଲିଗୁଡ଼ାରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳ ଆଜି ତା”ର ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛି । ଆଜି ସକାଳେ ବାଲିଗୁଡ଼ା ସହରରେ ବିଜେଡ଼ି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର ଯୋଗଦେଇ ଲୋକଙ୍କ ଆଶୀର୍ବାଦ କାମନା କରିଥିଲେ । ଏହି ଶୋଭାଯାତ୍ରାରେ ବାଲିଗୁଡ଼ାର ୫ଶହରୁ ଉର୍ଦ୍ଧ୍ୱ ମୋଟରସାଇକେଲ ଓ ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ପରେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ଅଚ୍ୟୁତ ସାମନ୍ତ ଓ ଚକ୍ରମଣି କହଁର ସାରଙ୍ଗଗଡରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ କର୍ମୀ ସମାବେଶରେ ଉଦବୋଧନ ଦେଇ ଅଚ୍ୟୁତ ସାମନ୍ତ କହିଥିଲେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୋତେ ଦ୍ୱିତୀୟ ଥର ଆପଣମାନଙ୍କ ସାଂସଦ ପ୍ରାର୍ଥୀ କରିବା ସହ ଚକ୍ରମଣୀ କହଁରକୁ ବିଧାୟକ ପ୍ରାର୍ଥୀ କରିଛନ୍ତି । ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡ଼ିଶା ଆଜି ଦେଶର ଏକ ଉନ୍ନତ ରାଜ୍ୟରେ ପରିଣତ ହୋଇଛି । ଓଡିଶାକୁ ଦେଶର ୧ନମ୍ୱର ରାଜ୍ୟରେ ପରିଣତ କରିବା ସହ କନ୍ଧମାଳ ଜିଲ୍ଲାକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବା ଲାଗି ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ପଡ଼ିବ । ଏଥିପାଇଁ ଶ୍ରୀ ସାମନ୍ତ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ଆପଣମାନଙ୍କ ସାଂସଦ ଓ ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଗତ ୫ବର୍ଷରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ବାଲିଗୁଡ଼ା ତଥା କନ୍ଧମାଳ ଜିଲ୍ଲାରେ ପ୍ରଗତିର ରଥକୁ ଆଗେଇ ନେବା ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ ପ୍ରଦାନ ନିମନ୍ତେ ଶ୍ରୀ ସାମନ୍ତ ନିବେଦନ କରିଥିଲେ ।
ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର, ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଂଯୋଜକ ଟୁନା ଦାଶ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକଙ୍କ ସମେତ କନ୍ଧମାଳ ଜିଲ୍ଲା ବିଜେଡ଼ିର ବିଭିନ୍ନ ଛାମୁଆ ସଙ୍ଗଠନର ମୁଖିଆମାନେ ଉପସ୍ଥିତ ଥିଲେ । ଏହି ସମାବେଶରେ କନ୍ଧମାଳ ଜିଲ୍ଲା ବିଜେପିର ଟାଣୁଆ ନେତା ଲଳିତ ମୋହନ ପାତ୍ରଙ୍କ ସମେତ କଂଗ୍ରେସ ଓ ବିଜେପିର ବହୁ କର୍ମୀ ଓ ସମର୍ଥକ ୍ୱିଜେଡିରେ ଯୋଗଦେଇଥିଲେ ।