-
ମୁଖ୍ୟମନ୍ତ୍ରୀଙ୍କ ବିଜୟ ଶଙ୍ଖଧ୍ବନୀ
-
ଯୋଡି ଶଙ୍ଖ ଓଡିଶାର ପରିଚୟ, ବିକାଶର ପରିଚୟ
-
ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
-
ବିରୋଧୀ ସବୁବେଳେ ସବୁ କଥାରେ ରାଜନୀତି କରୁଛନ୍ତି, ବିକାଶକୁ ବିରୋଧ କରୁଛନ୍ତି, ଲୋକ ସେମାନଙ୍କ ଅସଲ ରୂପ ଜାଣନ୍ତି
-
୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ, ଯୁବକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ, ଆସିବ ଯୁବ ବଜେଟ – ନବୀନ ପଟ୍ଟନାୟକ
-
ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଜିତିବେ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ – କାର୍ତ୍ତିକ ପାଣ୍ଡିଆନ
ବ୍ରାହ୍ମପୁର :ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡରେ ବିରାଟ ଜନସଭା ସହ ଆଜି ବିଜୁ ଜନତା ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ଓ ଶେରଗଡରେ ଦୁଇଟି ବିରାଟ ଜନସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ଜନତା ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯୋଡି ଶଙ୍ଖ ହେଉଛି ଓଡିଶାର ପରିଚୟ। ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ ବୋଲି ମତଦେଇ ସେ କହିଥିଲେ ଯେ ଓଡିଶାର ସାଢେ ଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ।
ସେ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ଏକ ନମ୍ବର ଦଳ ହୋଇ ରହିଆସିଛି । ଜନତାଙ୍କ ଆଶୀର୍ବାଦରେ ଏହି ନିର୍ବାଚନରେ ମଧ୍ୟ ପୁଣି ଥରେ ଏକ ନମ୍ବର ହେବ ଓ ବିକାଶର ଯାତ୍ରାକୁ ଆହୁରି ମଜବୁତ କରିବ।
ହିଞ୍ଜିଳିବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ତାଙ୍କର ପରିବାର। ଏହି ସାଢେ ଚାରି କୋଟି ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରିଚାଲିଛି ଓ ଶେଷ ପର୍ଯ୍ୟନ୍ତ କରିଚାଲିବି ବୋଲି ସେ କହିଥିଲେ ।
ସେ ପୁଣି କହିଥିଲେ ଯେ ହିଞ୍ଜିଳି-ଶେରଗଡ ଆଜି ସାରା ଦେଶରେ ବିକାଶର ଏକ ମଡେଲ ହୋଇଛି । ୫-ଟି ରୂପାନ୍ତର ଯାତ୍ରାରେ ହିଞ୍ଜିଳି ଶେରଗଡ଼ ବାସୀଙ୍କ ସହଯୋଗ ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।
ସେ କହିଥିଲେ ଯେ ଓଡିଶାର ଚାଷୀମାନେ, ମିଶନ ଶକ୍ତିର ମା ମାନେ ଜିରୋ ପରସେଣ୍ଟ ସୁଧରେ ଋଣ ପାଉଛନ୍ତି। ସଶକ୍ତ ଓଡିଶା ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ ।
ଯୁବଶକ୍ତି ଉପରେ ନିଜର ଭରସା ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ରାଜ୍ୟରେ ସ୍ବତନ୍ତ୍ର ଯୁବ ବଜେଟ ଅସିବ। ୨୦୨୪ ରୁ ୨୦୩୪ ଏହି ଦଶକ ହେବ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ। ଯୁବ ବଜେଟରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶ ଉପରେ ଫୋକସ ରହିବ ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଯେ ୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ ଓ ଓଡିଶା ତାର କାମ ପାଇଁ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ । ୨୦୩୬ରେ ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହେବ ଦେଶର ଏକ ନମ୍ବର ରାଜ୍ୟ।
ବିରୋଧୀ ଦଳର ରାଜନୀତି ଉପରେ ମତଦେଇ ସେ କହିଥିଲେ ଯେ ବିକାଶ ଆମର ପରିଚୟ ହୋଇଥିବା ବେଳେ, ବିରୋଧୀ ଦଳ ଗୁଡିକ ସବୁବେଳେ ଅଯଥା ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରୁଛନ୍ତି, ଅପପ୍ରଚାର କରୁଛନ୍ତି । ଓଡିଶାବାସୀ ସେମାନଙ୍କ ଅସଲ ରୂପକୁ ଲୋକ ଚିହ୍ନିଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହେବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି ସଭାରେ ବିଜୁ ଜନତା ଦଳର ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ହିଞ୍ଜିଳି-ଶେରଗଡ ହେଉଛି ଦେଶର ଏକ ନମ୍ବର ନିର୍ବାଚନ ମଣ୍ଡଳୀ। ହିଞ୍ଜିଳି-ଶେରଗଡର ବିଧାୟକ ହେଉଛନ୍ତି ଦେଶର ଏକ ନମ୍ବର ବିଧାୟକ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ତେଣୁ ଆପଣମାନେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ତାଙ୍କର ଏକ ନମ୍ବର ସ୍ଥାନ ବଜାୟ ରଖନ୍ତୁ ବୋଲି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଶୋଇହିଞ୍ଜିଳିକାଟୁ ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ,ଯୁଵ ବିଜେଡି ସଭାପତି ମନୋଜ କୁମାର ସାଵତ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷ ସରସ୍ବତୀ ସେଠି, ବ୍ଳକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ,ବରିଷ୍ଠ ବିଜେଡି ନେତା ଡି ବିଶ୍ଵନାଥ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରିତୀ ସାହୁ,ବାଈ ଗିତାଞ୍ଜଳୀ,ଏ ସୁଦର୍ଶନ, ବିଜେଡି ନେତା ଅଜୟ କୁମାର ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରମୁଖ ନିଜ ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଅନୁରୋଧ କରିଥିଲେ ।