
ଭୁବନେଶ୍ୱର, ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। । ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି , ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି। ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ। ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି। ଦଳ ଯେଉଁ ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅବମାନନା। ସମ୍ବଲପୁରକୁ ଅଣଦେଖା କରାଗଲା। ତାହା ମୋତେ ବାଧିଛି। ସେ କହିଛନ୍ତି, ଦଳ ଛାଡ଼ିବା ନିଷ୍ପତ୍ତି ପାଇଁ କଷ୍ଟ ଲାଗୁଛି। କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ। ସମାଜସେବା କରୁଛି। ଆଗକୁ ବି ଏହା ଜାରି ରହିବ। ଆଗାମୀ ଦିନରେ କୌଣସି ପଲିଟିକାଲ୍ ଆକ୍ଟିଭିଟି କରିବିନି। ଉଲ୍ଲେଖନୀୟ ଯେ ସମ୍ବଲପୁର ଆସନରୁ ୨୦୧୪ରେ ବିଜେଡି ଟିକେଟରେ ବିଧାନସଭାକୁ ଯାଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ। ଜୟନାରାୟଣ ମିଶ୍ରଙ୍କୁ ସେ ପ୍ରାୟ ୧୦ ହଜାର ଭୋଟରେ ହରାଇଥିଲେ। କିନ୍ତୁ ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ପରାସ୍ତ ହୋଇଥିଲେ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ , ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ସେଠାରୁ ପ୍ରାର୍ଥୀ ହେବାକୁ ଅମଙ୍ଗ ହୋଇଥିଲେ। ତା’ପରେ ତାଙ୍କୁ ରେଢ଼ାଖୋଲ ଆସନ ଦେଇ ସେଠାରେ ପ୍ରାର୍ଥୀ କରିଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି ଦଳ। ସେହିପରି ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ଏଥର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି।