ଗଞ୍ଜାମ ,ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବୀ ମା ତାରାତାରିଣୀଙ୍କ ଆଜି ଚୈତ୍ର ପୂର୍ଣ୍ଣିମା ତଥା ପଂଚମ ପାଳି ମଙ୍ଗଳବାର ଯାତ୍ରା ବିପୁଳ ଜନ ସମାଗମ ମଧ୍ୟରେ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ପାଇଁ ଆଜି ମାଆଙ୍କ ଶେଷ ମଙ୍ଗଳ ବାର ଯାତ୍ରା । ଏହି ଉପଲକ୍ଷେ ପ୍ରତ୍ୟୁଷରେ ମନ୍ଦିର ଦ୍ଵାରଫିଟା ମଙ୍ଗଳ ଆରତୀ ବେଶ ଶୃଙ୍ଗାର ମାଜଣା ପୂଜାର୍ଚ୍ଚନା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ମାଆଙ୍କ ଦର୍ଶନ କରି କୃପାଭିକ୍ଷା କରିଛନ୍ତି । ଶହ ଶହ ଶିଶୁ ମୁଣ୍ଡନ କରି ସେମାନଙ୍କ ପ୍ରଥମ କେଶକୁ ମା ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ସନ୍ତାନ ମାନଙ୍କ ଦୀର୍ଘ ଜୀବନ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ଓ କୁମାରୀ ପାହାଡ ତଳେ ସବାନ୍ଧବେ ଭୋଜିଭାତର ଆସର ଜମାଇ ଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଶ୍ରଦ୍ଧାଳୁ ମାନେ ଭୃକ୍ଷେପ ନକରି ମା ଙ୍କ ପୀଠରେ ସପରିବାରେ ସମବେତ ହୋଇଛନ୍ତି ।
ପାହାଡ଼ ତଳୁ ମା ଙ୍କ ମନ୍ଦିର ପର୍ଯ୍ୟନ୍ତ ମନ୍ଦିର କର୍ତୃପକ୍ଷ ଜନସାଧାରଣଙ୍କ ପାଇଁ ବସ୍ ଚଳାଚଳର ବ୍ୟବସ୍ଥା କରିଛନ୍ତି । ଏତଦ୍ ବ୍ୟତୀତ ଶ୍ରଦ୍ଧାଳୁ ମାନେ ରୋପୱେ ଓ ୯୯୯ ପାହାଚ ଚଢି ପାଦଚଲାରେ ଯାଇ ଦେବୀ ମା ଙ୍କ ଦର୍ଶନ କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ ଓ ବନ୍ଦୋବସ୍ତ କରାଯାଇଛି । ସ୍ଵାସ୍ଥ୍ୟ ସେବା ଓ ପାନୀୟ ଜଳଯୋଗାଣ, ଅଂଶୁଘାତର ମୁକାବିଲା ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଯାତ୍ରା ସ୍ଥଳରେ ରହି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ପାହାଡ଼ ପାଦଦେଶରେ ଓ ଉପରେ ଶହଶହ ଖୋଲା ଦୋକାନବଜାର ଖୋଲାଯାଇଛି । ଯାତ୍ରୀମାନଙ୍କ ପାଇଁ ପ୍ରସାଦ ଅନ୍ନ ପୂଡିଆ ବିକ୍ରି ଓ ବିତରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତୃଷାର୍ତ ମାନଙ୍କୁ ସ୍ଵେଛାସେବୀମାନେ ପଣାପାଣି ବିତରଣ କରୁଛନ୍ତି । ମାଙ୍କ ଯାତ୍ରା ଆଜି ସଂଧ୍ୟା ଯାଏ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।