-
ମାଓ ଗତିବିଧି ଉପରେ ରହିବ ସ୍ବତନ୍ତ୍ର ନଜର(ଫଟୋ)
ବ୍ରହ୍ମପୁର, ଦକ୍ଷିଣାଞ୍ଚଳ ରେଞ୍ଜ ଅଧୀନରେ ଥିବା ଜିଲ୍ଲାଗୁଡ଼ିକ ଆସନ୍ତା ମେ ମାସ ୧୩ ଓ ୨୦ତାରିଖରେ ନିର୍ବାଚନ ରହିଛି। ଏଥିପାଇଁ ଜିଲ୍ଲାଗୁଡ଼ିକରେ ଆଇନଶୃଙ୍ଖଳା ଓ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ(ଡିଜି) ଅରୁଣ କୁମାର ଷଡ଼ଙ୍ଗୀ। ଡିଜି ଷଡ଼ଙ୍ଗୀ ଆଜି ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି କାର୍ଯ୍ୟାଳୟରେ ୫ଟି ପୁଲିସ ଜିଲ୍ଲାର ଏସ୍ପିଙ୍କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକ ଉପରେ ସୂଚନା ପ୍ରଦାନ କରି ଡିଜି କହିଛନ୍ତି ଯେ, ବିଶେଷ କରି ନିର୍ବାଚନକୁ କିପରି ଅବାଧ ଓ ମୁକ୍ତ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ମାଓ ଗତିବିଧି ରହିଥିବା ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି। ନିର୍ବାଚନ ସମୟରେ ଯେପରି କୌଣସି ପ୍ରକାର ମାଓହିଂସା ଦେଖା ନଦେବ ସେ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମାଓ ଗତିବିଧି ଉପରେ ପୁଲିସ ବରାବର ନଜର ରଖିଛି ବୋଲି ଡିଜି କହିଛନ୍ତି।
ବିଶେଷ କରି ନିର୍ବାଚନ ବେଳେ ପୁଲିଂ ପାର୍ଟି, ବୁଥ୍ ଓ ଭୋଟର୍ଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜରେ ମୋଟ ୪ହଜାର ୭୨୦ ବୁଥ୍ ରହିଛି। ସେହିପରି ଗତ ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ରେଞ୍ଜରେ ମୋଟ ୪ହଜାର ୩୦୦ ୱାରେଣ୍ଟ୍ କାର୍ଯ୍ୟକାରୀ କରାଯାଇଛି। ସେହିପରି ଧାରା ୧୦୭ ଓ ୧୧୦ରେ ପ୍ରାୟ ୧୩ହଜାର ଲୋକଙ୍କ ବିରୋଧ ୪ହଜାର ୫ଶହ ମାମଲା ରୁଜୁ ହୋଇ ନୋଟିସ୍ କରାଯାଇଛି। ଏହା ସହିତ ଗଂଜେଇ କାରାବାର ଉପରେ ଅଂକୁଶ ଲଗାଇବା ପାଇଁ ସ୍ବତନ୍ତ୍ର ଡ୍ରାଇଭର୍ ଜାରି ରହିଛି। ଏପ୍ରିଲ୍ ପର୍ଯ୍ୟନ୍ତ ପ୍ରାୟ ୩୪୦କ୍ବିଣ୍ଟାଲ୍ ଗଂଜେଇ ଜବତ ହୋଇଥିବା ବେଳେ ବିପୁଳ ପରିମାଣ ଗଂଜେଇ ଚାଷ ନଷ୍ଟ କରାଯାଇଛି। ବେଆଇନ ଅର୍ଥ କାରବାର ସହିତ ଅନ୍ୟାନ୍ୟ ଦିଗ ଉପରେ ନଜର ରଖିବା ପାଇଁ ୨୯ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍ ସହିତ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ରହିଛନ୍ତି। ବିଭିନ୍ନ ସମୟରେ ବେଆଇନ ଭାବେ ନିଆଯାଉଥିବା ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି ବୋଲି ଡିଜି ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ ପୁଲିସ ସୁରକ୍ଷାକୁ ଆହୁରି ଅଧିକ କଡ଼ାକଡ଼ି କରାଯାଇଛି। ମୋବାଇଲ୍ ପାର୍ଟି ସହ ପ୍ରତ୍ୟେକ ଜିଲ୍ଲାରେ କ୍ୟୁଆର୍ଟି ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜରେ ବର୍ତ୍ତମାନ ୨୦ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି। ସେହିପରି ଓଡ଼ିଶାରୁ ୨୫ କମ୍ପାନି ଫୋର୍ସ କେନ୍ଦ୍ରକୁ ଦିଆଯାଇଛି। ଯେଉଁମାନେ କି ତାମିଲନାଡ଼ୁ ଓ ଅରୁଣାଞ୍ଚଳ ପ୍ରଦେଶରେ ନିର୍ବାଚନ ଡ୍ୟୁଟିରେ ମୁତୟନ ରହିଛନ୍ତି। ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ରହିଥିବାରୁ ସେମାନେ ଫେରି ଆସିବା ସହିତ କେନ୍ଦ୍ରରୁ କିଛି ଅଧିକ ଫୋର୍ସ ମିଳିବ ବୋଲି ଆଶା କରାଯାଉଛି। ଏଣୁ ନିର୍ବାଚନ ସମୟରେ ସୁରକ୍ଷା ପାଇଁ ଯଥେଷ୍ଟ ଫୋର୍ସ ଉପଲବ୍ଧ ହେବ ବୋଲି ଡିଜି ଷଡ଼ଙ୍ଗୀ ଆଶା ପୋଷଣ କରିଛନ୍ତି।
ସେହିପରି ଓଡ଼ିଶା-ଆନ୍ଧ୍ର ସୀମାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବ୍ରହ୍ମପୁର ଓ ଗଜପତି ଜିଲ୍ଲାରେ ଆନ୍ଧ୍ର ସୀମାରେ ଚେକ୍ପୋଷ୍ଟ କରାଯାଇଛି। ପ୍ରତ୍ୟେକ ଗାଡ଼ି ଯାଞ୍ଚ କରାଯାଉଛି। ଯାଞ୍ଚ ସମୟରେ ବିଭିନ୍ନ ପ୍ରକାର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏହା ସହିତ ସୋସିଆଲ୍ ମିଡ଼ିଆରେ କୌଣସି ପ୍ରକାର ଗୁଜବ କି ଅପପ୍ରଚାର ନକରିବାରୁ ଡିଜି ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଏହା ଉପରେ ନଜର ରଖିବା ପାଇଁ ସୋସିଆଲ୍ ମିଡ଼ିଆ ମନିଟରିଂ ସେଲ୍ ଗଠନ କରାଯାଇଛି ବୋଲି ଡିଜି ସୂଚନା ଦେଇଛନ୍ତି। ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି(ଆଇନଶୃ୍ଙ୍ଖଳା) ସଂଜୟ କୁମାର, ଅତିରିକ୍ତ ଡିଜି(ଅପରେସନ୍) ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ଆଇଜି ଅନୁପ କୁମାର ସାହୁ, ଗୁଇନ୍ଦା ଡିଆଇଜି କନୱର୍ ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଜୟନାରାୟଣ ପଙ୍କଜ, ବ୍ରହ୍ମପୁର ଏସ୍ପି ସାର୍ଥକ ଷଡ଼ଙ୍ଗୀ, ଗଞ୍ଜାମ ଏସ୍ପି ଜଗମୋହନ ମୀନା, ଜଗପତି ଏସ୍ପି ସ୍ବାତୀ ଏସ୍. କୁମାର, କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଓ ବୌଦ୍ଧ ଏସ୍ପି ରାଜ ପ୍ରସାଦ ଉପସ୍ଥିତ ଥିଲେ।