ବଲାଣି, ନାହିଁ ନାହିଁର ଗାଁ ହେଉଛି କେନ୍ଦୁଝର ଜିଲାର ଯୋଡ଼ା ବ୍ଲକ ବଲାଣି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ୧୫ ନମ୍ବର ୱାର୍ଡ ଅଧିନସ୍ଥ ସମଲକୋଟା ବା ଗାଢା ସାହି । ଝିଙ୍କିରା ନାଳ କୂଳେ ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗ୍ରାମଟି ପୂର୍ବରୁ ଏହି ସମଲକୋଟା ଭାବରେ ପରିଚିତ ଥିବା ବେଳେ ସରକାରୀ କାଗଜପତ୍ରରେ ଏହା ଏବେ ଗାଢା ସାହି ଭାବରେ ନୂତନ ପରିଚୟ ପାଇଛି । ନୂତନ ପରିଚୟ ପାଇଛି ସତ, ହେଲେ ସୁଧୁରି ପାରିନାହିଁ ସ୍ଥିତି । ଏହି ଗ୍ରାମରେ ଅନୁସୂଚିତ ଜନଜାତିର ପ୍ରାୟ ୩୦ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୧୦୦ ରୁ ଅଧିକ ହେବ । ସମସ୍ତ ପରିବାର ସରକାରୀ ଭାବରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ଗ୍ରାମରେ ସର୍ବନିମ୍ନ ମୌଳିକ ସୁବିଧା ଅପହଞ୍ଚ । ଗୋଟିଏ ପକ୍ଷରେ ଦେଶ ସ୍ଵାଧୀନତାର ୭୭ ବର୍ଷ ପୂର୍ଣ୍ଣ ହୋଇଥିବା ବେଳେ ଅମୃତ ମହୋତ୍ସବ ପାଳନ କରୁଛି ସମଗ୍ର ଭାରତ । ତେବେ ଖଣି ଖାଦାନ ଦ୍ଵାରା ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ଏହି ଗ୍ରାମରେ ଏବେ ବି ବିଭିନ୍ନ ମୌଳିକ ସୁବିଧା ଅପହଞ୍ଚ ।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ, ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରହିଥିବା ଏହି ଗ୍ରାମରେ ନା ରହିଛି ପାନୀୟ ଜଳର ସୁବିଧା, ନା ରହିଛି ଗମନାଗମନ କରିବାକୁ ପକ୍କା ରାସ୍ତା। ଏପରିକି ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇଥିଲେ ସୁଦ୍ଧା ବିଦ୍ୟୁତ ବିଭାଗର ଅଧିକାରୀ ଘରକୁ ବିଦ୍ୟୁତ ସଂଯୋଗ ନିମନ୍ତେ ଟଙ୍କା ଦାବି କରୁଥିବାରୁ ଘର ଗୁଡିକୁ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇପାରିନାହିଁ । ପ୍ରତାରଣାର ବିଷୟ ଯେ, ବର୍ଷ ବର୍ଷ ଧରି ପଞ୍ଚାୟତ ସ୍ତର ଠାରୁ ଆରମ୍ଭ କରି ବିଧାନସଭା ଆସନ ଓ ଲୋକସଭା ଆସନରେ ନିଜର ବହୁମୂଲ୍ୟ ମତଦାନ କରି ଜନପ୍ରତିନିଧି ବାଛୁଥିଲେ ସୁଦ୍ଧା ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଚଳିତ ସାଧାରଣ ନିର୍ବାଚନକୁ ଗ୍ରାମର ଏହି ଜନଜାତି ବର୍ଗର ଭୋଟର ବର୍ଜନ କରିବେ ବୋଲି ରଣହୁଙ୍କାର ଦେଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଅଟକଳ ମୂଲ୍ୟରେ ସୋଲାର ସୌରଚାଳିତ ଖୁଦ୍ର ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ବେଳେ ବର୍ଷାଧିକ ହେବ ଉକ୍ତ କଳରୁ ବ୍ୟବହାର ଅନୁପଯୋଗୀ କଳା ରଂଗଯୁକ୍ତ ପାଣି ବାହାରୁ ଥିବାରୁ ସରକାରଙ୍କ ପାନୀୟ ଜଳଯୋଗାଣ ଏଠାରେ ଫେଲ୍ ମାରିଛି । ଲୋକେ ବାଧ୍ୟ ହୋଇ ଝିଙ୍କିରା ନାଳରେ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି । ବଲାଣି ଖଣିରୁ ନିର୍ଗତ ଏହି ନାଳରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶି ଆସୁଥିବାରୁ ଏହି ଚୁଆ ଜଳ ଵ୍ୟଵହାର ଦ୍ଵାରା ପିଲା ଛୁଆ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ବ୍ୟତୀତ ଝିଙ୍କିରା ନାଳରେ ଗମନାଗମନର ସୁବିଧା ନିମନ୍ତେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଡିଆରଡିଏ ପକ୍ଷରୁ ଏକ କଲଭର୍ଟ ନିର୍ମାଣ କରାଯାଇଥିଲେ ହେଁ ଉକ୍ତ କଲଭର୍ଟ ପାର୍ଶ୍ଵରୁ ନାଳ ପାଣି ପ୍ରବାହିତ ହେଉଥିବାରୁ ଏହି ପୋଲ ଲୋକଙ୍କ ବ୍ୟବହାରକୁ ଆସି ପାରୁନାହିଁ । ଫଳରେ ବର୍ଷ ତମାମ ଲୋକେ ଗମନାଗମନ ନିମନ୍ତେ ଘୋର ଅସୁବିଧା ଭୋଗ କରିବା ସହିତ ବର୍ଷା ଦିନରେ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବା ସହିତ ଲୋକେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ପଡନ୍ତି । ଏହା ବ୍ୟତୀତ ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ବିଶେଷ କରି ବର୍ଷା ଦିନରେ ଗମନାଗମନର ଅସୁବିଧା ସହିତ ଆମ୍ବୁଲାନ୍ସ ଭଳି ଅପତକାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଗ୍ରାମରେ ଗରିବ ସୀମାରେଖା ତଳେ ଜନଜାତି ସମ୍ପ୍ରଦାୟର ଲୋକେ ରହୁଥିବା ବେଳେ ସରକାରଙ୍କ ବିଭିନ୍ନ ବିଦ୍ୟୁତସଂଯୋଗ ଯୋଜନା ନିମନ୍ତେ ମୋଟା ଅଙ୍କର ରାଶି ମଗାଯାଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗ୍ରାମକୁ ବିଦ୍ୟୁତ ଖୁଣ୍ଟ ସମେତ ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ସଂଯୋଗ ହୋଇଥିଲେ ସୁଦ୍ଧା ଘରକୁ ସଂଯୋଗ କରିବାକୁ ୭ ରୁ ୮ ହଜାର ଟଙ୍କା ଦେବାକୁ ବିଦ୍ୟୁତ ବିଭାଗର କର୍ମଚାରୀ ଦାବି କରୁଛନ୍ତି । ଗରିବ ସୀମାରେଖା ତଳେ ଥିବା ଏଠିକାର ପରିବାର ଏହି ମୋଟା ଅଙ୍କର ରାଶି ଦେବାକୁ ଅସମର୍ଥ ଥିବାରୁ ବିଜୁଳି ସଂଯୋଗରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ଫଳରେ ଟେକ୍ନୋଲୋଜି ଯୁଗରେ ଲୋକେ ଅନ୍ଧକାରରେ ରହିବାକୁ ବାଧ୍ୟ ହେବା ସହିତ ଛାତ୍ରଛାତ୍ରୀ ଅନ୍ଧକାରରେ ପାଠ ପଢିବା ସହିତ ବିଜୁଳି ଆଲୋକରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ତେବେ ଗ୍ରାମର ଏହି ସମସ୍ତ ସମସ୍ୟା ସମ୍ପର୍କରେ କେହି ମୁହଁ ଖୋଲିଲେ ସେମାନଙ୍କୁ ଧମକ ଚମକ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ତେବେ ସରକାରଙ୍କ ଉପରେ ଗ୍ରାମବାସୀଙ୍କ ଆସ୍ଥା ଦିନକୁ ଦିନ ତୁଟିବାକୁ ଲାଗିଛି । ତେଣୁ ଚଳିତ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।
ଏ ନେଇ ବଲାଣି ପଞ୍ଚାୟତର ସରପଞ୍ଚ ମୁଗା ମୁଣ୍ଡା ସମସ୍ୟା ସମ୍ପର୍କରେ ବୁଝି ଦେଖିଛି ଅତି ଶୀଘ୍ର ସମସ୍ୟା ସମାଧାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଗ୍ରାମର ଚାନ୍ଦିନୀ ମୁଣ୍ଡା କହିଛନ୍ତି ଯେ, ଆମ ଗ୍ରାମରେ ବିଭିନ୍ନ ମୌଳିକ ସୁବିଧା ଅପହଞ୍ଚ ଥିବାବେଳେ ପାନୀୟ ଜଳ, ରାସ୍ତା ଘାଟ ଓ ବିଜୁଳି ସମସ୍ୟା ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇଛି । ଆମେ ଆମର ବହୁମୂଲ୍ୟ ଭୋଟ ଦେଇ ଆମର ଜନ ପ୍ରତିନିଧି ବାଛୁଛୁ ହେଲେ ଏହି ଜନ ପ୍ରତିନିଧି ଆମର ଅଧିକାର ଯୋଗାଇବାରେ ଅସମର୍ଥ ହେଉଛନ୍ତି, ତେଣୁ ଚଳିତ ସାଧାରଣ ନିର୍ବାଚନକୁ ଆମେ ଏଥର ବର୍ଜନ କରିବୁ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛୁ ।
ଲକ୍ଷ୍ମୀ ମୁଣ୍ଡା କହିଛନ୍ତି ଯେ, ଆମ ଗ୍ରାମରେ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ସୌରଚାଳିତ ପାଣି ଟାଙ୍କି ସ୍ଥାପନ ହୋଇଛି ସତ, ହେଲେ ପ୍ରଥମରୁ ଏହି ପାଣି ଟାଙ୍କିରୁ ବ୍ୟବହାର ଅନୁପଯୋଗୀ କଳା ରଙ୍ଗ ଯୁକ୍ତ ପାଣି ବାହାରୁଛି । ଏ ନେଇ ୱାର୍ଡ ସଦସ୍ୟଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇ ନାହିଁ । ବାଧ୍ୟ ହୋଇ ଆମେ ଗ୍ରାମ ନିକଟସ୍ଥ ଝିଙ୍କିରା ନାଳରେ ଚୁଆ ଖୋଳି ସେଠାରୁ ପାନୀୟ ଜଳ ସଂଗ୍ରହ କରୁଛୁ । ତେବେ ଉକ୍ତ ନାଳ ବଲାଣି ଖଣିରୁ ପ୍ରବାହିତ ହେଉଥିବାରୁ ନାଳରେ ଖଣିର ବର୍ଯ୍ୟ ବସ୍ତୁ ମିଶି ଆସୁଥିବାରୁ ଏହି ପାଣି ଵ୍ୟଵହାର କରି ଛୋଟ ଛୁଆ ଠାରୁ ବୃଦ୍ଧ ବୃଦ୍ଧା ସମସ୍ତେ ରୋଗାକ୍ରାନ୍ତ ହେଉଛନ୍ତି । ବିଜୁଳି ଆଲୁଅ ପାଇଁ ଆବେଦନ କରିଥିଲେ ସୁଦ୍ଧା ବିଜୁଳି ବିଭାଗ ଆମ ଠାରୁ ୭-୮ହଜାର ଟଙ୍କା ଦାବି କରୁଛନ୍ତି । ଆମେ ଗରିବ ଶ୍ରେଣୀର ଲୋକ ଏତେ ଟଙ୍କା କେଉଁଠୁ ଆଣିବୁ । ଆମର ସମସ୍ୟା ସମ୍ପର୍କରେ କେହି ଦୃଷ୍ଟି ଦେଉନଥିବାରୁ ଆମେ ଭୋଟ ବର୍ଜନ କରିବୁ ।
ରଇବାରୀ ମୁଣ୍ଡା(ଛାତ୍ରୀ) କହିଛନ୍ତି ଯେ, ମୁଁ ଜଣେ ଛାତ୍ରୀ । ମୁଁ ଏଠାରୁ ପ୍ରାୟ ୨-୩ କିଲୋମିଟର ଦୂର ନିକଟସ୍ଥ ବାଲାଗୋଡ଼ା ପଞ୍ଚାୟତ ସ୍ଥିତ ବାଲାଗୋଡ଼ା ସରକାରୀ ବିଦ୍ୟାଳୟରେ ପାଠ ପଢେ । ଆମ ଗ୍ରାମ ନିକଟରେ ବୋହି ଯାଇଥିବା ଝିଙ୍କିରା ନାଳ ପାରି କଲେ ଆମେ ବାହ୍ୟ ଜଗତ ସହିତ ସଂଯୋଗ ହୋଇଥାଉ । ତେବେ ଏଠାରେ ଏକ କଲଭର୍ଟ ତିଆରି ହୋଇଛି ସତ ହେଲେ ଉକ୍ତ କଲଭର୍ଟ ତଳେ ପାଣି ପ୍ରବାହିତ ହେବା ସ୍ଥାନରେ କଲଭର୍ଟ ପାର୍ଶ୍ଵ ଦେଇ ପାଣି ପ୍ରବାହିତ ହେଉଛି ଯଦ୍ବାରା କଲଭର୍ଟ ଟି ଆମର କୌଣସି କାର୍ଯ୍ୟରେ ଆସୁନାହିଁ । ବର୍ଷା ଦିନରେ ଏହି ନାଳରେ ବଢି ଆସିବା ଦ୍ଵାରା ଆମେ ନାଳ ପାର କରିବାରେ ଅସମର୍ଥ ହୋଇ ପଡୁ ଓ ଆମର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୁଏ । ବିଦ୍ୟାଳୟ ସମେତ ଅଙ୍ଗନବାଡି ଯାଉଥିବା ଶିଶୁ ମାନେ ମଧ୍ୟ ସୁଷମ ଖାଦ୍ୟ ଓ ପାଠ ପଢାରୁ ବଂଚିତ ହୋଇ ଆସୁଛନ୍ତି ।
ମାନିଆ ମୁଣ୍ଡା କହିଛନ୍ତି ଯେ, ଆମେ ଭୋଟ ଦେଇ ସରକାର ଗଢ଼ୁଛୁ ହେଲେ ସରକାର ଆମ ସମସ୍ୟା ଦୂର କରିବାରେ ଅସମର୍ଥ ହେଉଛନ୍ତି । ତେଣୁ ଆମର ସରକାର ଗଠନ କରିବାରେ କୌଣସି ମୂଲ୍ୟ ରହୁନାହିଁ । ପାନୀୟ ଜଳ, ରାସ୍ତା ଘାଟ, ପୋଲ, ବିଜୁଳି ଭଳି ସର୍ବନିମ୍ନ ମୌଳିକ ସୁବିଧାରୁ ଆମେ ବର୍ଷ ବର୍ଷ ଧରି ବଞ୍ଚିତ ହୋଇ ରହିଛୁ ହେଲେ ସରକାର ଆମର ଦୁଃଖ ବୁଝୁ ନାହାନ୍ତି । ତେଣୁ ଆମେ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବୁ ।
ମୁଗା ମୁଣ୍ଡା( ସରପଞ୍ଚ) କହିଛନ୍ତି ଯେ, ଏହି ଗ୍ରାମରେ ବିଭିନ୍ନ ମୌଳିକ ସୁବିଧା ଅପହଞ୍ଚ ଏହା ସମ୍ପୂର୍ଣ୍ଣ ସତ୍ୟ । ପାନୀୟ ଜଳ ନିମନ୍ତେ ବସାଯାଇଥିବା ସୌର ଚଳିତ ଟାଙ୍କିକୁ ସଫା କରାଯିବାକୁ ମୁଁ ବିଭାଗୀୟ କର୍ତୁପକ୍ଷଙ୍କୁ ଅବଗତ କରିଛି । ଏହାର ଯଥାଶୀଘ୍ର ସମାଧାନ କରାଯିବ । ଏହା ଗମନାଗମନ ନିମନ୍ତେ ଝିଙ୍କିରା ନାଳରେ ନିର୍ମାଣ କରାଯାଇଥିବା କଲଭର୍ଟରେ ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟ ଏକ କଲଭର୍ଟ ନିର୍ମାଣ କରାଯିବ । ଏହା ସହିତ ପକ୍କା ରାସ୍ତା ନିର୍ମାଣ କରାଯିବାକୁ ଯୋଜନା ରହିଛି । ବିଦ୍ୟୁତ ସଂଯୋଗ ବାବଦ ରେ ମୁଁ ବିଦ୍ୟୁତ ବିଭାଗର ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛି । ଯଥା ଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ ।