ଚମ୍ପୁଆ– ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ନ ହେଲେ ଭୋଟ ନାହିଁ, ଆଜି ଏପରି ଏକ ଦୃଢ ନିଷ୍ପତ୍ତି ନେଇ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଚମ୍ପୁଆବାସୀ। ଏଥିରେ ଚମ୍ପୁଆ ଅଞ୍ଚଳର ସମସ୍ତ ସଂଘ ତଥା ବହୁ ଅନୁଷ୍ଠାନର ସଭାପତି, ସମ୍ପାଦକ, କାର୍ଯ୍ୟକର୍ତା ଙ୍କ ସମେତ ଜନସାଧାରଣ ମିଳିତ ଭାବରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଭୁବନେଶ୍ଵରଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୬ ମସିହାରୁ ଅନୁମୋଦନ ହୋଇ ଅସ୍ଥାୟୀ ବିଦ୍ୟାଳୟ ପାଇଁ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପରିସରରେ ଶ୍ରେଣୀଗୃହ ଓ ଜମି ହସ୍ତାନ୍ତର ହୋଇଥିଲେ ମଧ୍ୟ ସ୍କୁଲ ଖୋଲିବା ଓ ଶିକ୍ଷା ପ୍ରାପ୍ତିରୁ ଚମ୍ପୁଆ ବାସୀ ଏ ପର୍ଯ୍ୟନ୍ତ ବଞ୍ଚିତ ହୋଇ ଆସୁଛନ୍ତି। ଏ ସମ୍ପର୍କରେ ଗଣତାନ୍ତ୍ରିକ ପଦ୍ଧତିରେ ଜମି ଅଧିଗ୍ରହଣ ପାଇଁ ଚମ୍ପୁଆ ତହସିଲଦାର ଓ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ କେନ୍ଦୁଝର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀର ବାରମ୍ବାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଆଜି ଚମ୍ପୁଆବାସୀ ଭୋଟ ବର୍ଜନ ପରି ଦୃଢ଼ ନିଷ୍ପତି ନେବା ପାଇଁ ବାଧ୍ୟ ହୋଇଛନ୍ତି। ଏହି ଅଭିଯୋଗ ପତ୍ରର ଏକକିତା ନକଲ ଉପଜିଲ୍ଲାପାଳ ଚମ୍ପୁଆ, ଜିଲ୍ଲାପାଳ କେନ୍ଦୁଝର, ରାଜ୍ୟପାଳ ଓଡିଶା ଓ ନିର୍ବାଚନ କମିଶନ ଓଡିଶାଙ୍କ ଅବଗତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଥିବା ଜଣାପଡିଛି।