ଭୁବନେଶ୍ୱର, ଅନୁଗୁଳ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା ଆଦର୍ଶ ଗ୍ରୁପର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ ବୁଧବାର ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ମହେଶ ଚନ୍ଦ୍ର ଧଳଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ମହେଶ ଚନ୍ଦ୍ର ଧଳଙ୍କ ଯୋଗଦାନ ଫଳରେ ବିଶେଷକରି ଅନୁଗୁଳ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାରେ ପ୍ରଥମ କୋଭିଡ୍ ହସ୍ପିଟାଲ କରିଥିଲେ ମହେଶ ଚନ୍ଦ୍ର ଧଳ । କୋଭିଡ୍ ବେଳେ ୨ ବର୍ଷ ଧରି ମାଗଣା ଅକ୍ସିଜେନ ଯୋଗାଇଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମହେଶ ଚନ୍ଦ୍ର ଧଳ ନିଜ ପ୍ରତିକ୍ରିୟାରେ କହିଥିଲେଯେ, ଆଜି ମୋ ପାଇଁ ଏକ ମହାନ ଦିନ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର ଋଣୀ । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।